ବେଙ୍ଗାଲୁରୁ,୫ା୭ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ମଙ୍ଗଳୟାନ(ମାର୍ସ ଅର୍ବିଟର ମିଶନ)ରେ ଥିବା ମାର୍ସ କଲର କ୍ୟାମେରା (ଏମ୍ସିସି) ମଙ୍ଗଳ ଗ୍ରହର ବୃହତ୍ତମ ଚନ୍ଦ୍ର ‘ଫୋବୋସ୍’ର ଛବି ଉତ୍ତୋଳନ କରିଛି। ଏହି ଫଟୋ ଗତ ୧ ତାରିଖରେ ଉଠାଯାଇଥିଲା, ଯେତେବେଳେ ମଙ୍ଗଳୟାନ ମଙ୍ଗଳ ଗ୍ରହଠାରୁ ୭,୨୦୦ କିଲୋମିଟର ଏବଂ ଫୋବୋସ୍ ଠାରୁ ପ୍ରାୟ ୪,୨୦୦ କିଲୋମିଟର ଦୂରରେ ଥିଲା। ଇସ୍ରୋ ପକ୍ଷରୁ କୁହାଯାଇଛି ଯେ, ଏହି ଫଟୋର ଅନ୍ତରୀକ୍ଷ ସମ୍ବନ୍ଧୀୟ ରିଜୋଲ୍ୟୁଶନ ହେଉଛି ୨୧୦ଏମ୍। ଏହା ୬ଟି ଏମ୍ସିସି ଫ୍ରେମ୍ରୁ ନିଆଯାଇଥିବା ଏକ ମିଶ୍ରିତ ଛବି ଏବଂ ଏହାର ରଙ୍ଗ ସଂଶୋଧିତ କରାଯାଇଛି।
ଫୋବୋସ୍ ମୁଖ୍ୟତଃ ଅଙ୍ଗାରକାମ୍ଳମୟ ପଥୁରିଆ ଉଲ୍କାପିଣ୍ଡ ଦ୍ୱାରା ଗଠିତ ବୋଲି ବିଶ୍ୱାସ କରାଯାଏ। ଇସ୍ରୋ ଅନୁଯାୟୀ, ଫୋବୋସ୍ ଅତୀତରେ ଏକ ବଡ଼ଧରଣର ଧକ୍କାକୁ ସାମ୍ନା କରିଛି। ଫଳରେ ବିଶାଳ ଗର୍ତ୍ତ ସୃଷ୍ଟି ହୋଇଛି। ଏହାର ନଁା ରହିଛି ଷ୍ଟିକ୍ନେ। ଏହା ଫୋବୋସ୍ର ସବୁଠୁ ବଡ଼ ଗର୍ତ୍ତ, ଯାହାର ବ୍ୟାସ ହେଉଛି ୯ କିଲୋମିଟର। ଏହା ଫଟୋରେ ସ୍ପଷ୍ଟ ଦେଖାଯାଉଛି। ଅନ୍ୟ ଗର୍ତ୍ତଗୁଡିକ ତଥା ସ୍ଲୋଭସ୍କି, ରୋଚେ ଏବଂ ଗ୍ରିଲ୍ଡ୍ରିଗ୍ ମଧ୍ୟ ଫଟୋରେ ଦେଖିବାକୁ ମିଳୁଛି।
ମଙ୍ଗଳୟାନ ମାତ୍ର ୬ ମାସ ପାଇଁ ଉଦ୍ଦିଷ୍ଟ ବୋଲି ପ୍ରଥମେ ଜଣାପଡ଼ିଥିଲା। କିନ୍ତୁ ଇସ୍ରୋ ପକ୍ଷରୁ କୁହାଯାଇଥିଲା ଯେ, ବହୁ ବର୍ଷ ପର୍ଯ୍ୟନ୍ତ ସେବା ଯୋଗାଇବା ପାଇଁ ଏହା ପାଖରେ ପର୍ଯ୍ୟାପ୍ତ ଇନ୍ଧନ ଅଛି। ୨୪ ସେପ୍ଟେମ୍ବର ୨୦୧୪ରେ, ଭାରତ ସଫଳତାର ସହିତ ମଙ୍ଗଳୟାନକୁ ଲାଲ ଗ୍ରହ ମଙ୍ଗଳର କକ୍ଷପଥରେ ସ୍ଥାପିତ କଲା। ପ୍ରଥମ ପ୍ରୟାସରେ ଏହି ସଫଳତା ହାସଲ କରାଯାଇଥିଲା। ଫଳରେ ପୂର୍ବରୁ ଏଭଳି ସଫଳତା ହାସଲ କରିଥିବା ଦେଶଗୁଡ଼ିକର ଇଲାଇଟ୍ କ୍ଲବ୍ରେ ଭାରତ ସାମିଲ ହୋଇପାରିଥିଲା। ଇସ୍ରୋ ଏହାକୁ ୫ ନଭେମ୍ବର ୨୦୧୩ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ଉତ୍କ୍ଷେପଣ କେନ୍ଦ୍ରରୁୁ ପିଏସ୍ଏଲ୍ଭି ରକେଟ ମାଧ୍ୟମରେ ପ୍ରେରଣ କରିଥିଲା। ଏହି ମିଶନ ବାବଦରେ ଖର୍ଚ୍ଚ ହୋଇଛି ୪୫୦ କୋଟି ଟଙ୍କା। ମଙ୍ଗଳୟାନର ଲକ୍ଷ୍ୟ ହେଉଛି ମଙ୍ଗଳ ଗ୍ରହର ଉପରିଭାଗ(ପୃଷ୍ଠ) ଏବଂ କେଉଁସବୁ ଖଣିଜ ପଦାର୍ଥକୁ ନେଇ ଏହା ଗଠିତ ହୋଇଛି ସେ ସସମ୍ପର୍କରେ ଅଧ୍ୟୟନ କରିବା। ଏହାସହିତ ସେଠାକାର ବାୟୁମଣ୍ଡଳରେ ମିଥେନ୍(ମଙ୍ଗଳ ଗ୍ରହରେ ଜୀବନର ଏକ ସୂଚକ) ସମ୍ପର୍କରେ ମଧ୍ୟ ଏହା ଯାଞ୍ଚ କରୁଛି। ସୂଚନାଥାଉ କି, ମଙ୍ଗଳୟାନରେ ପାଞ୍ଚଟି ବୈଜ୍ଞାନିକ ଉପକରଣ ରହିଛି। ସେଗୁଡ଼ିକ ହେଲା ଲାଇମ୍ୟାନ ଆଲଫ୍ା ଫୋଟୋମିଟର (ଏଲ୍ଏପି), ମିଥେନ୍ ସେନସର୍ ଫର୍ ମାର୍ସ (ଏମ୍ଏସ୍ଏମ୍), ମାର୍ସ ଏକ୍ସୋଫେରିକ ନ୍ୟୁଟ୍ରାଲ କମ୍ପୋଜିଶନ ଆନାଲାଇଜର (ଏମ୍ଇଏନ୍ସିଏ), ମାର୍ସ କଲର କ୍ୟାମେରା (ଏମ୍ସିସି) ଏବଂ ଥର୍ମାଲ ଇନ୍ଫ୍ରାରେଡ୍ ଇମେଜିଂ ସ୍ପେକ୍ଟ୍ରୋମିଟର(ଟିଆଇଏସ୍)।