Categories: ଜାତୀୟ

୮ ବର୍ଷର ନାବାଳିକାଙ୍କୁ ଗଣବଳାତ୍କାର ପରେ ହତ୍ୟା

ମାଙ୍ଗାଲୁରୁ,୨୪।୧୧: ୮ ବର୍ଷୀୟା ଝିଅକୁ ଗଣବଳାତ୍କାର ଓ ହତ୍ୟା ଘଟଣାରେ ବୁଧବାର ୪ ଜଣଙ୍କୁ ଗିରଫ କରିଛି କର୍ନାଟକ ପୋଲିସ। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଜୟବନ (୨୧), ମୁକେଶ ସିଂ (୨୦), ମନୀଷ ତୀର୍କି (୩୩) ଓ ମୁନୀମ ସିଂ (୨୦)।

୪ ଦିନ ତଳେ ଜୟବାନ, ମୁକେଶ ଓ ମନୀଷ ରବିବାର ନାବାଳିକାଙ୍କୁ ବଳାତ୍କାର କରିବାକୁ ଯୋଜନା କରିଥିଲେ। ଘଟଣା ଦିନ ସେମାନଙ୍କୁ ଯୋଗ ଦେଇଥିଲେ ମୁନୀମ। ରବିବାର ଅପରାହ୍ନରେ ଫ୍ୟାକ୍ଟ୍ରି କମ୍ପାଉଣ୍ଡରେ ଖେଳୁଥିବା ବେଳେ ପୀଡ଼ିତାଙ୍କୁ ରୁମକୁ ଉଠାଇ ନେଇଥିଲେ ଜୟବନ। ସେଠାରେ ତାଙ୍କୁ ଗଣବଳାତ୍କାର କରିବା ପରେ ବେକ ଚିପି ହତ୍ୟା କରିଥିଲେ। ପରେ ମୃତଦେହକୁ ଡ୍ରେନରେ ଫୋପାଡ଼ି ଦେଇଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

ଅପରାହ୍ନ ୩ଟାରେ ଝିଅକୁ ଖୋଜା ଖୋଜି କରିଥିଲେ ଘର ଲୋକେ। ପ୍ରାୟ ୬ଟା ବେଳେ ଝିଅର ମୃତଦେହ ମିଳିବା ପରେ ମାଙ୍ଗାଲୁରୁ ପୋଲିସକୁ ସୂଚନା ଦିଆଯାଇଥିଲା।

ଫ୍ୟାକ୍ଟ୍ରିରେ ୬ ଶିଶୁଙ୍କ ସମେତ ମୋଟ ୪୧ ଜଣ କାମ କରୁଥିଲେ। ସେମାନଙ୍କ ମଧ୍ୟରେ ୨୧ ଜଣ ବାହାର ରାଜ୍ୟରୁ ଥିଲେ। ଫ୍ୟାକ୍ଟ୍ରିର ସିସିଟିଭି ଫୁଟେଜ ଓ କଲ ଡେଟଲ୍ସ ରେକର୍ଡକୁ ଆଧାର କରି ଘଟଣା ଦିନ କାମରେ ଉପସ୍ଥିତ ଥିବା ୧୯ ଶ୍ରମିକଙ୍କ ମଧ୍ୟରୁ ୪ ଜଣଙ୍କୁ ଗିରଫ କରାଯାଇଥିବା ପୋଲିସ କମିଶନର ଏନ୍‌. ଶଶି କୁମାର କହିଛନ୍ତି।

Share