ବନ୍ଦ ଖଣିରୁ ମାଙ୍ଗାନିଜ ଚୋରି

ଟେନ୍‌ସା,୨୧।୪(ଡି.ଏନ୍‌.ଏ.): ଟାଟା ଟିସ୍କୋ କମ୍ପାନୀର ବନ୍ଦ ଖଣିରୁ ବାରମ୍ବାର ମାଙ୍ଗାନିଜ ଚୋରି ହେଉଛି। ବୁଧବାର ରାତିରେ ମାଙ୍ଗାନିଜ ଚୋରି ହେଉଥିଲା। ଖବରପାଇ ବନବିଭାଗ ଚଢ଼ାଉ କରି ମାଙ୍ଗାନିଜ ସମେତ ଟ୍ରକକୁ ଜବତ କରିଥିଲେ। ହେଲେ ଚଢ଼ାଉ ଦେଖି ମାଙ୍ଗାନିଜ ଚୋରା ଚାଲାଣକାରୀମାନେ ଟ୍ରକ ଛାଡି ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ। ସୁନ୍ଦରଗଡ ଜିଲା କୋଇଡା ରେଞ୍ଜ ଅନ୍ତର୍ଗତ ମାଲଦା ପଞ୍ଚାୟତ ଗିଡେଇ ଗ୍ରାମ ଗଣୁଆ ନିକଟରେ ବନ୍ଦ ହୋଇ ପଡିଥିବା ଖଣିରୁ ବାରମ୍ବାର ଚୋରି ହେଉଛି। ଖଣି ଓ ବନବିଭାଗ ସବୁ ଜାଣିଥିଲେ ମଧ୍ୟ କାହିଁକି ପଦକ୍ଷେପ ନେଉନାହାନ୍ତି ତାହା ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମାଙ୍ଗାନିଜ ମାଫିଆ ଓ ବିଭାଗୀୟ ଅଧିକାରୀଙ୍କ ସଲାସୁତୁରା ଯୋଗୁ ଚୋରି ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଲୋକ ଦେଖାଣିଆ ମଝିରେ ମଝିରେ ବନବିଭାଗ ଓ ଖଣି ବିଭାଗ ଚଢ଼ାଉ କରୁଥିବା ଦେଖିବାକୁ ମିଳୁଛି। ଟାଟା ଟିସ୍କୋ କମ୍ପାନୀ ଦ୍ୱାରା ପୂର୍ବରୁ ଅଧିକୃତ ଥିବା ଜଙ୍ଗଲ ଅଞ୍ଚଳରୁ ମାଙ୍ଗାନିଜ ଚୋରା ଚାଲାଣ ସବୁବେଳେ ହୋଇଆସୁଛି। ଖବର ପାଇ ଗ୍ରାମବାସୀ, ବନବିଭାଗ ସମେତ ସ୍କ୍ବାଡ୍‌ କର୍ମଚାରୀ ମିଳିତ ଭାବେ ଚଢ଼ାଉ କରିଥିଲେ।ରେଞ୍ଜ ଅଧିକାରୀ ମାଙ୍ଗାନିଜ ବୋଝେଇ ହୋଇଥିବା ଗାଡ଼ିକୁ ଜବତ କରିଥିବା ଜଣାପଡ଼ିଛି।