କେନ୍ଦୁଝରରେ ଆରମ୍ଭ ହେଲା ଆମ୍ବ ମହୋତ୍ସବ

କେନ୍ଦୁଝର,୧୬।୫(ସ୍ବ.ପ୍ର):କେନ୍ଦୁଝରରେ ମଙ୍ଗଳବାର ପୂର୍ବାହ୍ନରେ ଆମ୍ବ ମହୋତ୍ସବରେ ଗାଁ ଆମ୍ବ ପସରା ଷ୍ଟଲ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଉଦ୍‌ଘାଟିତ ହୋଇଯାଇଛି। ମିଶନ ଶକ୍ତି ଏବଂ ଓରମାସ ସହଯୋଗୀତାରେ ଏହି ଷ୍ଟଲ ଖୋଲିଥିବାବେଳେ ଷ୍ଟଲରେ ତେଲକୋଇ, ଘଟଗାଁ, ବଂଶପାଳ ଏବଂ ହରିଚନ୍ଦନପୁର ବ୍ଲକର ଆମ୍ବ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ଆମ୍ରପଲି, ଦଶେରୀ, ଲେଙ୍ଗଡ଼ା, ହେମସାଗର, ଖିରାସାଗର ସମେତ ଅନ୍ୟାନ୍ୟ ଭଲ କିସମର ଆମ୍ବ ଏହି ଷ୍ଟଲରେ ଉପଲବ୍ଧ ହେଉଛି। ଭଳିକିଭଳି ପାଚିଲା ଆମ୍ବ କିଣିବାକୁ ଗହଳି ଲାଗିଥିବାବେଳେ ଆମ୍ବ ଚାଷୀ, ମିଶନ ଶକ୍ତି ମା’ମାନେ ଆମ୍ବ ବିକ୍ରିକରି ଭଲ ରୋଜଗାର କରିବେ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲାର ୬/୭ ବ୍ଲକର ପାଖାପାଖି ୪୦୦୦ ହେକ୍ଟର ଜମିରେ ଆମ୍ବଚାଷ ହୋଇଥାଏ। ଗତ ବର୍ଷ ଭଲ ଆମ୍ବ ହୋଇ ନ ଥିଲା। କିନ୍ତୁ ଏବର୍ଷ ଭଲ ଅମଳ ହେବ ଏବଂ ଚାଷୀ ଭଲ ରୋଜଗାର କରିବେ ବୋଲି ଆଶା କରାଯାଉଛି। ମଙ୍ଗଳବାର ଆମ୍ବ ମହୋତ୍ସବ ଗାଁ ଆମ୍ବ ପସରା ଷ୍ଟଲ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ ଡି, ଜିଲା ପରିଷଦ ନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଅତିରିକ୍ତ ଜିଲାପାଳ ସୁଷମା ବିଲୁଙ୍ଗ,
ଉପ ଜଲାପାଳ ରାମଚନ୍ଦ୍ର କିସ୍କୁ, ଓରମାସ ଉପ ନିର୍ଦ୍ଦେଶକ ସପନ ଗୋସୱାମୀଙ୍କ ସମେତ ବିଭିନ୍ନ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ଏବଂ ଜନସାଧାରଣ ଉପସ୍ଥିତ ଥିଲେ। ପ୍ରଥମ ଦିନରୁ ଭଲ ବିକ୍ରି ହେଉଥିବା ଜଣାପଡିଛି । ୨୦୨୦/୨୧ ବର୍ଷରେ ଏଭଳି ମେଳାରୁ ୩,୦୪, ୫୬୭ ଟଙ୍କାର ଆମ୍ବ ବିକ୍ରି ହୋଇଥିବା ବେଳେ ଚଳିତ ବର୍ଷ ଅଧିକ ବିକ୍ରି ହେବ ବୋଲି ଚାଷୀମାନେ ଆଶା ରଖିଛନ୍ତି।

Share