ମୁମ୍ବାଇ,୨ ।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଉତ୍ତର ପ୍ରଦେଶର ହାଥରସରେ ପୋଲିସ ଯେଉଁଭଳି ଦୁର୍ବବ୍ୟବହାର କରିଛି ତାକୁ ଶିବସେନା ନେତା ସଞ୍ଜୟ ରାଉତ ନିନ୍ଦା କରିଛନ୍ତି । ହାଥରସ ବଳାତ୍କାର ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଯିବା ସମୟରେ ରାହୁଲଙ୍କୁ ଅଧାବାଟରେ ଯେଉଁଭଳି ଅଟକା ଯାଇଥିଲା ଓ ସେ ପାଦରେ ଚାଲି ଚାଲି ଯାଉଥିବା ବେଳେ ପୋଲିସ ତାଙ୍କ ପ୍ରତି ଯେଉଁ ବ୍ୟବହାର ଦେଖାଇଛି ତାହା ଗଣତନ୍ତ୍ରର ବଳାତ୍କାର ବୋଲି କହିଛନ୍ତି ସଞ୍ଜୟ । ସେ ଆହୁରି ମଧ୍ୟ କହିଛନ୍ତି ରାହୁଲ ଜଣେ ରାଷ୍ଟ୍ରୀୟ ନେତା । କଂଗ୍ରେସ ସହ ଆମର ମତଭେଦ ହୋଇଥାଇପାରେ ହେଲେ ତାଙ୍କ ପ୍ରତି ପୋଲିସ ଯେଉଁ ବ୍ୟବହାର କରିଛି ତାହାକୁ କେହି ସମର୍ଥନ କରିପାରିବେ ନାହିଁ । ସୂଚନାଯୋଗ୍ୟ, ଗୁରୁବାର ରାହୁଲ ଗାନ୍ଧୀ ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ହାଥରସ ଗସ୍ତ କରିଥିଲେ । ଏହି ସମୟରେ ତାଙ୍କୁ ଯମୁନା ଏକ୍ସପ୍ରେସ୍ ୱେରେ ପୋଲିସ ଅଟକାଇ ଦେଇଥିଲା । ସେଠାରୁ ସେମାନେ ପାଦରେ ଚାଲି ଚାଲି ହାଥରସ ଯିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ରାହୁଲଙ୍କ କଲାର ଧରିନେବାରୁ ସେ ତଳେ ପଡିଯାଇଥିଲେ ।