ବଢ଼ୁଛି ଅଟ୍ଟାଳିକା ଭାର, ଦବୁଛି ମାନ୍‌ହାଟ୍ଟନ୍‌

ନ୍ୟୁୟର୍କ, ୧୯।୫: ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ନଭଶ୍ଚୁମ୍ବି ଅଟ୍ଟାଳିକା ପାଇଁ ନ୍ୟୁୟର୍କ ଖୁବ୍‌ ଖ୍ୟାତ। କିନ୍ତୁ ଯେଉଁ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ଧାଇଁ ଆସୁଛନ୍ତି, ତା’ପାଇଁ ନ୍ୟୁୟର୍କ ସହରର ସର୍ବାଧିକ ଜନବସତିପୂର୍ଣ୍ଣ ଅଞ୍ଚଳ ମାନ୍‌ହାଟ୍ଟନ ଧୀରେ ଧୀରେ ଦବିବାରେ ଲାଗିଛି। ଆମେରିକୀୟ ଭୌଗୋଳିକ ସର୍ଭେ ଏବଂ ୟୁନିଭର୍ସିଟି ଅଫ୍‌ ରୋଡେ ଆଇଲ୍ୟାଣ୍ଡର ଭୂବିଜ୍ଞାନୀମାନଙ୍କ ଦ୍ୱାରା କରାଯାଇଥିବା ଅଧ୍ୟୟନ ଅନୁସାରେ, ବିରାଟକାୟ ବିଲ୍ଡିଂର ଓଜନ ବଢ଼ିବା ଯୋଗୁ ଭବିଷ୍ୟତରେ ଏହି ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ ମାଟିରେ ମିଶିଯିବ।

ସବ୍‌ସିଡେନ୍ସ ଟେକ୍ନୋଲୋଜି ବ୍ୟବହାର କରି ଭୂବିଜ୍ଞାନୀମାନେ ଏହି ଅଧ୍ୟୟନ କରିଛନ୍ତି। ସହରରେ ବିଲ୍ଡିଂ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଥିବାବେଳେ ଏହାର ଓଜନ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ସହରର ଓଜନ ବଢ଼ିବା ସହ ଭୂପୃଷ୍ଠରେ ଥିବା ନରମ ମୃତ୍ତିକା (ବାଲି, କାଦୁଅ)ର ଚଳନ ହେବା ଯୋଗୁ ମାନ୍‌ହାଟ୍ଟନ ଧୀରେ ଧୀରେ ଦବୁଥିବା ଭୂବିଜ୍ଞାନୀମାନେ ଅନୁମାନ କରିଛନ୍ତି। ଏହା ପଛରେ ଅନେକ କାରଣ ଥିବାବେଳେ ସହରର ଓଜନ ବଢ଼ିବା ଯୋଗୁ ବର୍ଷକୁ ୧ରୁ ୨ ମିଲିମିଟର ଦବୁଛି। କିନ୍ତୁ ସହରର କିଛି ଭାଗ ଦ୍ରୁତ ବେଗରେ ଦବୁଥିବା ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଏହାର ତଳିଆ ଅଞ୍ଚଳରେ ରହୁଥିବା ୮ ନିୟୁତ ଲୋକଙ୍କ ପାଇଁ ଏହା ବଡ଼ ବିପଦ ସୃଷ୍ଟି କରିବ।
ନ୍ୟୁୟର୍କରେ ୧ ନିୟୁତରୁ ଅଧିକ ବିଲ୍ଡିଂ ରହିଛି, ଯାହାର ଓଜନ ୭,୬୪,୦୦୦,୦୦୦,୦୦୦ କିଲୋଗ୍ରାମ (୧.୬୮ ଟ୍ରିଲିଅନ୍‌ ପାଉଣ୍ଡସ୍‌) ହୋଇଥିବା ଆମେରିକୀୟ ଭୌଗୋଳିକ ସର୍ଭେ ଭୂବିଜ୍ଞାନୀ ଟମ୍‌ ପାର୍ସୋନ୍ସ କହିଛନ୍ତି। ୨୦୨୦ରେ ବିଶେଷଜ୍ଞମାନଙ୍କ ଦ୍ୱାରା କରାଯାଇଥିବା ଅଧ୍ୟୟନ ଅନୁସାରେ ସହରରେ ଥିବା ବିଲ୍ଡିଂ ଓ ରୋଡ୍‌ର ଓଜନ ଦ୍ରୁମ ଓ ତରୁଲତାଠାରୁ ଅଧିକ ହୋଇଥିବାବେଳେ ପ୍ରାଣୀଙ୍କଠାରୁ ପ୍ଲାଷ୍ଟିକ୍‌ର ଓଜନ ଦୁଇଗୁଣା। ସହରୀକରଣ ବଢ଼ିବା ସାଙ୍ଗକୁ ନିଷ୍କାସନ ବ୍ୟବସ୍ଥା ଏବଂ ଭୂତଳ ଜଳ କମିବା ଯୋଗୁ ସହର ଦବୁଥିବା କୁହାଯାଉଛି। କେବଳ ନ୍ୟୁୟର୍କ ନୁହେଁ, ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତା ୨୦୫୦ ବେଳକୁ ଦବି ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯିବ ବୋଲି ଭୂବିଜ୍ଞାନୀମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।

Share