ବୋଲଗଡ଼,୧୮ା୧୧(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ମଣିକାଗୋଡ଼ା ରେଳ ଷ୍ଟେଶନ (ବୋଲଗଡ ରୋଡ୍) ପଶ୍ଚିମ ପାର୍ଶ୍ୱ ରାସ୍ତା ଶୋଚନୀୟ ହୋଇପଡ଼ିଛି। ରେଲଓ୍ବେ ବିଭାଗ ପକ୍ଷରୁ ମାଟି ରାସ୍ତା ନିର୍ମାଣ ଯୋଗୁ ବର୍ଷା ଋତୁ ପରେ ରାସ୍ତାରେ ମେଣ୍ଟାଲ ଉଠି ଖାଲଖମା ସୃଷ୍ଟି ହୋଇଛି। ଫଳରେ ଷ୍ଟେଶନକୁ ଯାତାୟାତ କରୁଥିବା ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖୋର୍ଦ୍ଧାରୋଡ୍ଠାରୁ ନୟାଗଡ ଜିଲାସ୍ଥିତ ନୂଆଗଁା ରେଳ ଷ୍ଟେଶନକୁ ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ରେଳ ଯାତାୟାତ କରୁଛି। ଏହି ଷ୍ଟେସନକୁ ମାଣିକାଗୋଡ଼ା, ଦିଘିରି, ମଣ୍ଡଳସିଂହ, ଭୀମପଡା, ଦିବ୍ୟସିଂହପୁର, କଳାଙ୍ଗ ଓ ନୟାଗଡ ଜିଲାର ବାଉଁଶିଆପଡ଼ା, ହରେକୃଷପୁର, ଜଗନ୍ନାଥପ୍ରସାଦ ଗ୍ରାମ ତଥା ଆଖପାଖ ଅଞ୍ଚଳରେ ଶତାଧିକ ଯାତ୍ରୀ ନିର୍ଭର କରୁଛନ୍ତି। ଏହି ରାସ୍ତାବସ୍ଥା ଶୋଚନୀୟ ଯୋଗୁ ଯାତାୟାତରେ ବାଧକ ସାଜିଛି। ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି।