ମା ‘ ମାଣିକେଶ୍ବରୀଙ୍କ ଛତର ଯାତ୍ରା: ରକ୍ତ ରଞ୍ଜିତ ହେଲା ୪ କିମି

ଭଵାନୀପାଟଣା,୧୧।୧୦ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଶୁକ୍ରବାର ମହାସମାରୋହରେ ପାଳିତ ହୋଇଯାଇଛି। ଜେନାଖାଲ ରେ ସମ୍ପୂର୍ଣ୍ଣ ଗୁପ୍ତବିଧୂରେ ପୂଜାର୍ଚ୍ଚନା ପରେ ଭୋର ୫.୪୦ ରେ ମା’ଙ୍କ ବିଜୟ ପ୍ରତିମା ଛତର ମନ୍ଦିର ଅଭିମୁଖେ ବାହାରିଥିଲା। ଏହି ସମୟରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ଅନେକ ଭକ୍ତ ମା’ଙ୍କ ଛତର ଶୋଭାଯାତ୍ରା ସମୟରେ ଧୂପ, ଦୀପ, ନୈବେଦ୍ୟ ଦେଇ ପୂଜା କରିଥିବାବେଳେ ମାନସିକ ଧାରୀ ମାନେ ପଶୁ ପକ୍ଷୀ ବଳିଦେଇ ଦେବୀଙ୍କ ଛତରକୁ ସ୍ବାଗତ ଜଣାଇଥିଲେ। ଏପରିକି ପଶୁ ପକ୍ଷୀଙ୍କ ରକ୍ତରେ ୪ କିମି ରକ୍ତ ରଞ୍ଜିତ ହୋଇଉଠିଥିଲା। ମା’ଙ୍କ ଛତର ସମୟରେ ସ୍ଥାନୀୟ ୩୫ ଟି ସାଂସ୍କୃତିକ ଦଳ ଯୋଗଦେଇ ନିଜର କଳା ପ୍ରଦର୍ଶନ କରିଥିଲେ। ଲକ୍ଷାଧିକ ଭକ୍ତଙ୍କ ସମାଗମ ଯୋଗୁଁ ସହରର ବିଭିନ୍ନ ସ୍ଥାନରେ ଟ୍ରାଫିକ ଜାମ ହୋଇଥିବା ଦେଖିବାକୁ ମିଳିଥିଲା। ଏପରିକି ଦୀର୍ଘ ସମୟ ଧରି ଆମ୍ବୁଲାନ୍ସ ମଧ୍ୟ ଅଟକି ରହିଥିଲା। ମଧ୍ୟାହ୍ନ ୧୨ ରେ ମା’ଙ୍କ ଛତର ମନ୍ଦିରକୁ ପହଞ୍ଚି ଥିଲା।

Share