ଖଣ୍ଡପଡ଼ା,୨୩ା୬(ଅଜୟ କୁମାର ମହାରଣା): ଜଗନ୍ନାଥ ସଂସ୍କୃତିର ଆଦିପୀଠ ଭାବେ କଣ୍ଟିଲୋର ଶ୍ରୀନୀଳମାଧବ କ୍ଷେତ୍ର ସର୍ବଜନବିଦିତ। ଏ ପୀଠର ବିକାଶ ନିମନ୍ତେ ରାଜ୍ୟ ସରକାର ୧୦୦ କୋଟି ଟଙ୍କାର ଅନୁଦାନ ଅର୍ଥ ଗତ ଜୁଲାଇ ମାସରେ ମଞ୍ଜୁର କରିଥିଲେ। ସମ୍ପ୍ରତି ଉକ୍ତ ପ୍ରକଳ୍ପର କାର୍ଯ୍ୟ ଚାଲୁ ରହିଥିବା ବେଳେ ଏହି ପ୍ରକଳ୍ପରେ ସାମିଲ ଥିବା ଠାକୁରଙ୍କ ଚନ୍ଦନ ପୋଖରୀ କାର୍ଯ୍ୟ ମଧ୍ୟ ଚାଲୁ ରହିଛି। ତେବେ ଚନ୍ଦନ ପୋଖରୀରର ନବୀକରଣ କାର୍ଯ୍ୟରେ ପ୍ରସ୍ତାବିତ ପୋଖରୀର ମୂଳ ନକ୍ସା(ଡିଜାଇନ)ରେ ମଣିଖମ୍ବ ନିର୍ମାଣର ବ୍ୟବସ୍ଥା ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏ ନେଇ ନୀଳମାଧବ ପୂଜକ ସମାଜ, ସ୍ଥାନୀୟ ଜନସାଧାରଣ ଓ ବୁଦ୍ଧିଜୀବୀ ମହଲ ପକ୍ଷରୁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହି ଅଭିଯୋଗ ପରେ ପୋଖରୀର କାର୍ଯ୍ୟରେ ଶିଥିଳତା ଦେଖା ଦେଇଥିଲା। ତେବେ ସଂସ୍କୃତି, ପରମ୍ପରା ଓ ପୁରାଣ ଶାସ୍ତ୍ରକୁ ଭିତ୍ତିକରି ପୁରୀ ନରେନ୍ଦ୍ର ପୋଖରୀ ଓ ଭୁବନେଶ୍ୱର ବିନ୍ଦୁସାଗର ପୋଖରୀ ଢାଞ୍ଚାରେ କଣ୍ଟିଲୋ ଶ୍ରୀ ନୀଳମାଧବ ଜୀଉଙ୍କ ଚନ୍ଦନ ପୋଖରୀରେ ମଣିଖମ୍ବ ସହ ଏହାର ଚତୁଃପାର୍ଶ୍ୱରେ ୧୦ ଫୁଟ ଦୈଘ୍ୟ ଓ ୧୦ ଫୁଟ ପ୍ରସ୍ଥର ଏକ ପୂଜାମଣ୍ଡପ ନିର୍ମାଣ କରାଯିବ ବୋଲି କାର୍ଯ୍ୟ ନିର୍ବାହୀ ଓଡିଶା ସେତୁ ନିର୍ମାଣ ନିଗମ ଭୁବନେଶ୍ୱରଙ୍କ କ୍ଷମତାପ୍ରାପ୍ତ ଅଧିକାରୀଙ୍କଠାରୁ ସୂଚନା ମିଳିଛି। ସେହି ଅନୁସାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଉଛି। ଫଳରେ ସାଧାରଣରେ ଆନନ୍ଦ ପ୍ରକାଶ ପାଇଛି।
ଉଲ୍ଲେଖଯୋଗ୍ୟ, ଦୀର୍ଘ ଶହେ ବର୍ଷରୁ ଊର୍ଦ୍ଧ୍ୱ ହେବ ଉକ୍ତ ଚନ୍ଦନ ପୋଖରୀ ଖନନ ସମୟରେ ପୋଖରୀର ମଧ୍ୟଭାଗରେ ମଣିଖମ୍ବ ନିର୍ମାଣ କରାଯାଇଥିଲା। ଉକ୍ତ ପୋଖରୀରେ ଶ୍ରୀ ନୀଳମାଧବ ଜୀଉଙ୍କ ପାରମ୍ପରିକ ଚନ୍ଦନ ଚାପ ସହ ସମସ୍ତ ଦେବ ନୀତି ସମ୍ପନ୍ନ ହୋଇ ଆସୁଛି। ତେବେ ୧୯୬୫ ଏପ୍ରିଲ ମାସରେ ସୃଷ୍ଟି ହୋଇଥିବା କାଳବୈଶାଖୀ ପ୍ରଭାବରେ ସମ୍ପୃକ୍ତ ମଣିଖମ୍ବ ଭାଙ୍ଗି ପୋଖରୀ ମଧ୍ୟରେ ପୋତି ହୋଇଯାଇଥିଲା। ତେଣୁ ଠାକୁରଙ୍କ ବିଭିନ୍ନ ନୀତି ସମ୍ପନ୍ନରେ ପୋଖରୀ ମଧ୍ୟରେ ଏକ ବାଉଁଶରେ ଠାକୁରଙ୍କ ନେତ ବନ୍ଧା ଯାଇ ନୀତି ସମ୍ପନ୍ନ କରାଯାଉଥିଲା। ଏବେ ପୋଖରୀରୁ ପଙ୍କ ଉଦ୍ଧାର କରାଯାଉଥିବା ବେଳେ ପୂର୍ବରୁ ଭାଙ୍ଗି ପଡିଥିବା ମଣିଖମ୍ବ ସହ ଚକ୍ର ପଙ୍କ ମଧ୍ୟରୁ ଉଦ୍ଧାର କରାଯାଇଥିଲା।
ସୂଚନାଯୋଗ୍ୟ, ସ୍ଥାନୀୟ ଖୁଦ ବେହେରା ପାଟଣା ଗ୍ରାମର ବଦାନ୍ୟ ବ୍ୟକ୍ତି ସ୍ବର୍ଗତ ଦାଶରଥି ଦାସ ୧ ଶହ ବର୍ଷ ପୂର୍ବରୁ ଏହି ପୋଖରୀକୁ ଖନନ କରିଥିବାରୁ ଏହି ପୋଖରୀକୁ ସାଧାରଣରେ ଦାସଙ୍କ ପୋଖରୀ ବୋଲି କହିଥାଆନ୍ତି। ତେବେ ଠାକୁରଙ୍କ ଚନ୍ଦନ ନୀତି ଏହି ପୋଖରୀରେ ହେଉଥିବାରୁ ଏହା ଚନ୍ଦନ ପୋଖରୀ ନାମରେ ପରିଚିତ।