ପିଆଜ ବଦଳରେ ଅନ୍ୟ ଜିନିଷ କିଣୁଛନ୍ତି ମାନିଲାର ନାଗରିକ…

ମାନିଲା,୪।୨ : ଫିଲିପାଇନ୍ସରେ ପିଆଜ ଦର ଆକାଶଛୁଆଁ ହେଉଛି। ଲୋକଙ୍କ ଥାଳିରୁ ପିଆଜ ନିଖୋଜ ହେବାରେ ଲାଗିଛି। ଫିଲିପାଇନ୍ସରେ ପିଆଜ ଉତ୍ପାଦନ ଅଳ୍ପ, କିନ୍ତୁ ବ୍ୟବହାର ଅଧିକ । ଏଥର ସରକାର ଅନ୍ୟ ଦେଶରୁ ଆବଶ୍ୟକ ପରିମାଣର ପିଆଜ କିଣିବାରେ ବିଫଳ ହୋଇଛନ୍ତି, ଯେଉଁଥିପାଇଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ଲୋକମାନେ ମଧ୍ୟ ବିରୋଧର ଅନନ୍ୟ ଉପାୟ ଖୋଜୁଛନ୍ତି।

ଜାପାନ ହୋମ ସେଣ୍ଟର ନାମକ ଏକ ଷ୍ଟୋର୍‌ ଫିଲିପାଇନ୍ସର ରାଜଧାନୀ ମାନିଲାରେ ଲୋକଙ୍କୁ ଶନିବାର ଅଫର ଦେଇଛି ଯେ ସେମାନେ ପିଆଜ ବଦଳରେ ଏକ ନିର୍ଦ୍ଦିଷ୍ଟ ମୂଲ୍ୟର ସାମଗ୍ରୀ ନେଇପାରିବେ। ଶନିବାର ପିଆଜକୁ ଫିଲିପାଇନ୍ସ ମୁଦ୍ରା ୍‌ଭାବେ ପିଆଜକୁ ଗ୍ରହଣ କରାଯାଇଛି।

ଗୋଟିଏ ପିଆଜ ପାଇଁ ଗୋଟିଏ ଆଇଟମ ଲୋକେ ନେଇ ପାରିବେ। ମାନିଲାର ଉତ୍ତର-ପୂର୍ବର କୁଜନ ସିଟିରେ ଥିବା ଜାପାନ ହୋମ ସେଣ୍ଟର ଲୋକମାନଙ୍କୁ ପିଆଜ ବଦଳରେ ୮୮ ପେସୋ ମୂଲ୍ୟର ସମସ୍ତ ଜିନିଷ ଘରକୁ ନେବାକୁ ବିକଳ୍ପ ଦେଇଛି। ଏଥିରେ ଲୋକମାନେ ପିଆଜ ବଦଳରେ ନିଜ ପାଇଁ ପ୍ୟାନ୍ସ , ସାୱାର କ୍ୟାଣ୍ଡି, ସାମ୍ପୁ, ଏୟାର ଫ୍ରେସନର ଏବଂ ଅନ୍ୟାନ୍ୟ ଘରୋଇ ସାମଗ୍ରୀ କିଣୁଛନ୍ତି। ବିଶେଷ କଥା ହେଉଛି ଏହି ଜିନିଷଗୁଡ଼ିକର ମୂଲ୍ୟ ଏକ ସ୍ଥିର ଓଜନର ପିଆଜ ସହିତ ସମାନ।
ଖାଲିଜ ଟାଇମ୍ସର ରିପୋର୍ଟ ଅନୁଯାୟୀ, ପିଆଜ ବିନିମୟର ଏହି ଅଫର ସର୍ବାଧିକ ତିନୋଟି ଜିନିଷରେ ଉପଲବ୍ଧ । ବାକି ଆଇଟମ ପାଇଁ ନଗଦ ଅର୍ଥ ଦେବାକୁ ପଡିବ। ଏହି ପ୍ରସଙ୍ଗରେ ଷ୍ଟୋରର ବିବୃତ୍ତି ମଧ୍ୟ ଆସିଛି। ଏହି ଅଫର ବଦଳରେ ଗ୍ରହଣ କରାଯାଇଥିବା ପିଆଜ କେବଳ କମ୍ୟୁନିଟି ରୋଷେଇ ଘରର ସାଧାରଣ ଲୋକଙ୍କ ପାଇଁ ବ୍ୟବହୃତ ହେବ ବୋଲି ଷ୍ଟୋର କହିଛି। ଏହାକୁ ବିକ୍ରୟ କରି ଲାଭ କରିବାକୁ ଷ୍ଟୋରର କୌଣସି ଯୋଜନା ନାହିଁ।

Share