ପାଣିମୁରା, ଗିରିଶ୍ଚନ୍ଦ୍ରପୁର ଏଏନ୍‌ଏମ୍‌ ସବ୍‌ସେଣ୍ଟର: ଖାଲିପଡ଼ିଛି ମହିଳା ସ୍ବାସ୍ଥ୍ୟକର୍ମୀ ପଦବୀ

ନାକଟିଦେଉଳ,୨୮ା୯(ବୈକୁଣ୍ଠ ନାଥ ସାହୁ): ନାକଟିଦେଉଳ ବ୍ଲକର ଆଦିବାସୀ ଅଧ୍ୟୁଷିତ ପାଣିମୁରା ଓ ଗିରିଶ୍ଚନ୍ଦ୍ରପୁର ଏଏନ୍‌ଏମ୍‌ ସବ୍‌ସେଣ୍ଟରରେ ଦେଢବର୍ଷ ହେଲା ମହିଳା ସ୍ବାସ୍ଥ୍ୟକର୍ମୀ ପଦବୀ ଖାଲିପଡିଛି। ଏପରି କି ପାଣିମୁରା ସେଣ୍ଟରର ନିଜସ୍ବ ଗୃହ ଖଣ୍ଡିଏ ମଧ୍ୟ ନାହିଁ। ଫଳରେ ଗର୍ଭବତୀ ମହିଳା ଓ କିଶୋରୀ ବାଳିକାମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଠିକ୍‌ ଭାବେ ହୋଇପାରୁ ନାହିଁ। ପାଣିମୁରା ପଞ୍ଚାୟତ ହେଉଛି ନାକଟିଦେଉଳ ବ୍ଲକର ଉପାନ୍ତ ଅଞ୍ଚଳ। ଏଠାକାର ଅଧିକାଂଶ ଲୋକ ଆଦିବାସୀ ଗରିବ ଶ୍ରେଣୀର। ନିକଟରେ ସବ୍‌ସେଣ୍ଟର ଥିଲେ ମଧ୍ୟ ମହିଳା ସ୍ବାସ୍ଥ୍ୟକର୍ମୀ ନ ଥିବାରୁ ଗର୍ଭବତୀମାନେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତଥାପି ଜରୁରୀ ସମୟରେ ସେମାନେ ସ୍ବାସ୍ଥ୍ୟପରୀକ୍ଷା ପାଇଁ ୫୦କି.ମି. ଦୂର ନାକଟିଦେଉଳ କିମ୍ବା ୩୦ କି.ମି. ଦୂର ରେଢାଖୋଲ ଡାକ୍ତରଖାନା ଯିବାକୁ ବାଧ୍ୟ ହେଉଛନ୍ତି। ଅନ୍ୟପକ୍ଷେ ଏଠାରେ ଏଏନ୍‌ଏମ୍‌ ସେଣ୍ଟରର ନିଜସ୍ବ ଗୃହ ନ ଥିବାରୁ ବହୁ ସମୟରେ ପୁରୁଷ ସ୍ବାସ୍ଥ୍ୟକର୍ମୀ ଗ୍ରାମ ପଞ୍ଚାୟତ ଅଫିସ ବାରଣ୍ଡା କିମ୍ବା ଅଙ୍ଗନୱାଡ଼ି କେନ୍ଦ୍ର ବାରଣ୍ଡାରେ ଟିକାକରଣ କରୁଥିବା ଦେଖିବାକୁ ମିଳିଛି। ଏହି ସମସ୍ୟା ନେଇ ଅଞ୍ଚଳବାସୀ ବିଭିନ୍ନ ସମୟରେ ନାକଟିଦେଉଳଠାରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳିନାହିଁ। ସେହିପରି ଗିରିଶ୍ଚନ୍ଦ୍ରପୁର ସେଣ୍ଟରରେ ମହିଳା ସ୍ବାସ୍ଥ୍ୟକର୍ମୀ ନ ଥିବାରୁ ଗର୍ଭବତୀ ମହିଳା ଓ କିଶୋରୀ ବାଳିକା ସମାନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏ ସମ୍ପର୍କରେ ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ପଚାରିବାରୁ ବର୍ତ୍ତମାନ ସରକାର ମହିଳା ସ୍ବାସ୍ଥ୍ୟକର୍ମୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି ପ୍ରକ୍ରିୟା ଶେଷ ହେଲେ ଶୀଘ୍ର ପାଣିମୁରା ଓ ଗିରିଶ୍ଚନ୍ଦ୍ରପୁରରେ ଖାଲିଥିବା ମହିଳା ସ୍ବାସ୍ଥ୍ୟକର୍ମୀ ପଦବୀ ପୂରଣ କରାଯିବ ବୋଲି ପ୍ରକାଶ କରିଥିଲେ।

Share