Categories: ଜାତୀୟ

ମଣିପୁର ବିଧାନସଭା ଅଧିବେଶନ: ଆରମ୍ଭ ହେବାର ଘଣ୍ଟାକ ମଧ୍ୟରେ ହୋଇଗଲା ବନ୍ଦ

ଇମ୍ଫାଲ,୨୯।୮: ମେ ମାସରୁ ଜାରି ହିଂସା ମଧ୍ୟରେ ମଣିପୁର ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ତେବେ ମଙ୍ଗଳବାର ବିଧାନସଭା ଆରମ୍ଭ ହେବାର ଏକ ଘଣ୍ଟା ମଧ୍ୟରେ ଗୃହକୁ ଅନିଶ୍ଚତକାଳ ପାଇଁ ସ୍ଥଗିତ ରଖାଯାଇଛି।

ଅଧିବେଶନରେ ପୂର୍ବତନ ମଣିପୁର ମୁଖ୍ୟମନ୍ତ୍ରୀ ଓକ୍ରାମ ଇବୋବି ସିଂଙ୍କ ନେତୃତ୍ୱରେ ବିରୋଧୀ ବିଧାୟକମାନେ ବିଧାନସଭାରେ ହଟ୍ଟଗୋଳ କରିଥିଲେ। ଜାତିଗତ କଳହକୁ ନେଇ ମଣିପୁରର ସାମ୍ପ୍ରତିକ ପରିସ୍ଥିତି ବିଷୟରେ ଆଲୋଚନା କରିବା ପାଇଁ ଗୋଟିଏ ଦିନ ପର୍ଯ୍ୟାପ୍ତ ନୁହେଁ ବୋଲି ସେମାନେ କହିଥିଲେ।

ସୂଚନାଯୋଗ୍ୟ, ଅଧିବେଶନ ଆରମ୍ଭରୁ ଜାତିଆଣ ହିଂସାରେ ନିହତ ହୋଇଥିବା ଲୋକଙ୍କ ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ତେବେ ସଭାରେ କୁକି ସମ୍ପ୍ରଦାୟର ସମସ୍ତ ୧୦ ଜଣ ବିଧାୟକ ଅନୁପସ୍ଥିତ ଥିଲେ। ସକାଳ ୧୧ଟାରୁ ଗୃହର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ତାଙ୍କ ଅଭିଭାଷଣରେ କହିଥିଲେ, “ହିଂସାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କୁ ଆମେ ସମବେଦନା ଜଣାଉଛୁ। ଏହି ହିଂସାରେ ଯେଉଁମାନେ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପାଇଁ ମୋ ଶବ୍ଦ ପର୍ଯ୍ୟାପ୍ତ ନୁହେଁ।”

ରାଜ୍ୟରେ ସାମ୍ପ୍ରଦାୟିକ ହିଂସା କିପରି ଶାନ୍ତିପୂର୍ଣ୍ଣ ଉପାୟ ମାଧ୍ୟମରେ ସମାଧାନ କରାଯାଇପାରିବ ସେ ନେଇ ଆଲୋଚନା କରାଯାଇଥିଲା। ଏଥି ସହିତ ଚନ୍ଦ୍ରୟାନ ୩ର ଚନ୍ଦ୍ରରେ ସଫଳ ଅବତରଣ ପାଇଁ ଇସ୍ରୋକୁ ବିଧାନସଭାରେ ପ୍ରଶଂସା କରାଯାଇଥିଲା।

ଗୃହ ଚାଲିବାର କିଛି ସମୟ ପରେ କଂଗ୍ରେସ ବିଧାୟକମାନେ ନିଜ ଆସନରୁ ଠିଆ ହୋଇ ଥଟ୍ଟା ବନ୍ଦ କର, ଗଣତନ୍ତ୍ରକୁ ବଞ୍ଚାଅ ବୋଲି ନାରା ଲଗାଇଥିଲେ। ରାଜ୍ୟର ପରିସ୍ଥିତି ସମ୍ପର୍କରେ ଆଲୋଚନା ପାଇଁ ପାଞ୍ଚ ଦିନିଆ ଅଧିବେଶନ ଆୟୋଜନ କରିବାକୁ କଂଗ୍ରେସ ଦାବି କରିଛି। ବିଧାନସଭା ବାଚସ୍ପତି ସତ୍ୟବ୍ରତ ସିଂ ବିରୋଧୀ ବିଧାୟକମାନଙ୍କୁ ବସିବାକୁ ଅନୁରୋଧ କରିଥିଲେ। କିନ୍ତୁ ସେମାନେ ହଙ୍ଗାମା ଜାରି ରଖିଥିଲେ। ଏହା ପରେ ବାଚସ୍ପତି ଗୃହର ପ୍ରକ୍ରିୟାକୁ ୩୦ ମିନିଟ ପାଇଁ ସ୍ଥଗିତ ରଖିଥିଲେ।

ତେବେ ୩୦ମିନିଟ ପରେ ଗୃହ ଆରମ୍ଭ ହେବା ମାତ୍ରେ କଂଗ୍ରେସ ବିଧାୟକମାନେ ପୁଣି ହୋ ହଲ୍ଲା କରିଥିଲେ। ଏହା ପରେ ବାଚସ୍ପତି ଉତ୍ତେଜନା ମଧ୍ୟରେ ଅଧିବେଶନ ଜାରି ରଖିବା ସମ୍ଭବ ନୁହେଁ ବୋଲି କହି ଗୃହର ପ୍ରକ୍ରିୟାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିବାକୁ ଘୋଷଣା କରିଥିଲେ।

 

Share