Categories: ଜାତୀୟ

ମଣିପୁରରେ ଜାତିଆଣ ହିଂସାକୁ ଏଡ଼ାଯାଇପାରିଥାନ୍ତା: ଭାଜପା ବିଧାୟକ

ନୂଆଦିଲ୍ଲୀ,୨୪ା୭: ଅଢ଼େଇ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଲାଗି ରହିଥିବା ମଣିପୁରରେ ଜାତିଆଣ ହିଂସା ଓ ଯୌନହିଂସାକୁ ଏଡ଼ାଯାଇପାରିଥାଆନ୍ତା ବୋଲି ରାଜ୍ୟର ଭାଜପା ବିଧାୟକ ପାଓଲିଏନଲାଲ ହାଓକିପ୍‌ କହିଛନ୍ତି। ହାଓକିପ୍‌ ହେଉଛନ୍ତି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟର ୧୦ ଆଦିବାସୀ ବିଧାୟକଙ୍କ ମଧ୍ୟରୁ ଅନ୍ୟତମ। କୁକି ବହୁଳ ଜିଲାଗୁଡ଼ିକୁ ନେଇ ସ୍ବତନ୍ତ୍ର ପ୍ରଶାସନ ପ୍ରତିଷ୍ଠା କରାଯାଉ ବୋଲି ସେ ଗତ ମେ’ରେ ମୁଖ୍ୟମନ୍ତ୍ରୀ ଏନ୍‌. ବିରେନ୍‌ ସିଂଙ୍କୁ ପତ୍ର ଲେଖିଥିଲେ।

ଜାତୀୟ ଗଣମାଧ୍ୟମରେ ନିଜ ମତାମତ ରଖି ହାଓକିପ୍‌ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଆଚରଣରୁ ସରକାରୀ ଉଦାସୀନତାର ପ୍ରମାଣ ମିଳୁଛି। କୁକି ଜୁ ସମ୍ପ୍ରଦାୟର ଲୋକଙ୍କୁ ହତ୍ୟା କରୁଥିବା ମେଇତି ଲିପୁନ୍‌ ଏବଂ ଅରାମବାଇ ଟେନ୍‌ଗୋଲ୍‌ ଭଳି ଚରମପନ୍ଥୀ ଗୋଷ୍ଠୀଗୁଡ଼ିକ ସହ ବିରେନ୍‌ ସିଂଙ୍କ ସୁସମ୍ପର୍କ ରହିଛି। ଏଭଳି ସରକାର ରାଜ୍ୟର ଶାନ୍ତି ପାଇଁ କ୍ଷତିକାରକ। ସେହିପରି ମଣିପୁର ହିଂସାର କେନ୍ଦ୍ରସ୍ଥଳ ଭାବେ ପରିଚିତ ଚୂରାଚାନ୍ଦପୁର ଜିଲା ସାଇକୋଟ୍‌ର ଭାଜପା ବିଧାୟକ ଏକ ସାକ୍ଷାତ୍‌କାରରେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୁଲ୍‌ ତଥ୍ୟ ଦେଇ ବିଭ୍ରାନ୍ତ କରାଯାଇଥାଇପାରେ। ତାଙ୍କ ସହ ଅନେକ ବିଧାୟକ ମୋଦିଙ୍କୁ ଭେଟିବାକୁ ଚାହୁଁଛନ୍ତି। କିନ୍ତୁ ସୁଯୋଗ ଦିଆଯାଉ ନାହିଁ।

Share