Categories: ଜାତୀୟ

ମଣିପୁର ଘଟଣାରେ ଦୋଷୀଙ୍କୁ ମିଳିପାରେ ଫାଶୀ: ବିରେନ ସିଂ

ଇମ୍ଫାଲ,୨୦।୭: ମଣିପୁରରେ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ବୁଲାବା ଘଟଣାରେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଆଶ୍ୱାସନା ଦେଇଛନ୍ତି। ଗୁରୁବାର ଏହି ମାମଲାରେ ପ୍ରଥମ ଗିରଫ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଏଥି ସହ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହି ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିଲେ।
ଏନ ବିରେନ ସିଂ ଗୁରୁବାର କହିଛନ୍ତି, ଭିଡିଓ ସାମ୍ନାକୁ ଆସିବା ପରେ ରାଜ୍ୟ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ମଣିପୁର ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆଜି ସକାଳେ ପ୍ରଥମ ଗିରଫ କରିଥିଲା। ବର୍ତ୍ତମାନ ଏହି ଘଟଣାରେ ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି। ସମସ୍ତ ଅଭିଯୁକ୍ତଙ୍କୁ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ସ୍ବରୂପ ଫାଶୀ ଦଣ୍ଡ ଦିଆଯାଇପାରେ।
ସୂଚନାଯୋଗ୍ୟ, ମଣିପୁରରେ ୨ ଜଣ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଯାଉଥିବା ବେଳର ଭିଡିଓ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହୋଇଛି। ୨ ପୀଡ଼ିତାଙ୍କୁ ନିକଟସ୍ଥ ଚାଷଜମିରେ ଗଣବଳାତ୍କାର କରାଯାଇଥିବା ନେଇ ଏକ ଆଦିବାସୀ ସଙ୍ଗଠନ ଅଭିଯୋଗ ଆଣିଛି। ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଏହାସହ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଶେୟାର ନ କରିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି।

Share