Categories: ଜାତୀୟ

ମଣିପୁର କ୍ୟାବିନେଟର ସମ୍ପ୍ରସାରଣ

ଗୁଆହାଟୀ,୧୬।୪: ମଣିପୁରରେ କ୍ଷମତାକୁ ଫେରିବାର ମାତ୍ର ଏକ ମାସ ପରେ ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ସରକାରଙ୍କ କ୍ୟାବିନେଟର ସମ୍ପ୍ରସାରଣ ହୋଇଛି। ଶନିବାର ୬ଜଣ ନୂତନ ମନ୍ତ୍ରୀ ଏନ୍‌.ବିରେନ ସିଂଙ୍କ ସରକାରରେ ଯୋଗଦେଇଛନ୍ତି। ମଣିପୁର ରାଜ୍ୟପାଳ ଲା ଗଣେଶନ ଏହି ୬ନୂତନ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏଥିରେ ଭାଜପାର ୫ଜଣ ଏବଂ ଏହାର ସହଯୋଗୀ ନାଗା ପିପୁଲ୍ସ ଫ୍ରଣ୍ଟ (ଏନ୍‌ପିଏଫ୍‌) ଜଣେ ନେତା ସାମିଲ ଅଛନ୍ତି। ନୂଆ ମନ୍ତିମଣ୍ଡଳରେ ଭାଜପାର ବରିଷ୍ଠ ନେତା ଲଟ୍‌ପାଓ ହାଓକିପ୍‌, ପୂର୍ବତନ ଆଇପିଏସ୍‌ ଅଧିକାରୀ ତଥା କେନ୍ଦ୍ରମନ୍ତ୍ରୀ ଚାଓବା ସିଂଙ୍କ ପୁଅ ବସନ୍ତା ସିଂ। ଏତଦ୍‌ବ୍ୟତୀତ ୩ଜଣ ଯୁବ ନେତା ଡକ୍ଟର ସପମ ରଂଜନ ସିଂ, ଏଲ୍‌ ସୁସିଣ୍ଡ୍ରୋ ମେଟେଇ ଏବଂ ଏଚ୍‌ ଡିଙ୍ଗୋ ସିଂ ମଧ୍ୟ ମଣିପୁରର ନୂତନ କ୍ୟାବିନେଟରେ ସାମିଲ ହୋଇଛନ୍ତି। ସେହିପରି ଏନ୍‌ପିଏଫର କାସିମ ଭାସୁମ ମଧ୍ୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ସୂଚନା ମୁତାବକ ମାର୍ଚ୍ଚ ୨୧ରେ ଏନ୍‌.ବିରେନ ସିଂହଙ୍କ ସମେତ ଅନ୍ୟ ୫ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ।

Share