Categories: ଜାତୀୟ

ମଣିପୁରର ଲୋମଟାଙ୍କୁରା ଘଟଣାରେ ଭୟଭୀତ ହୋଇ ଘର ଛାଡୁଛନ୍ତି ମିଜୋରାମର ମେଇତି ସମ୍ପ୍ରଦାୟ

ଆଇଜଓ୍ବାଲ,୨୩।୭:ମଣିପୁର ହିଂସାକୁ ନେଇ ଦେଶ ସ୍ତବ୍ଧ। ଯୌନହିଂସାର କରୁଣ ପରିଣତିକୁ ଦେଶବ୍ୟାପୀ ବିରୋଧ କରାଯାଉଛି। ବିଶ୍ୱଗୁରୁ ବୋଲାଉଥିବା ବେଶ ଅଜି ସାରା ବିଶ୍ୱ ସାମ୍ନାରେ ନତମୁଖ ହୋଇ ଆର୍ବିଭୂତ ହୋଇଛି। ତେବେ ଏହି ଭୟଙ୍କର ଗଣଦୁଷ୍କର୍ମ ଘଟଣା ପଡୋଶୀ ରାଜ୍ୟ ମିଜୋରାମକୁ ମଧ୍ୟ ପ୍ରଭାବିତ କରିଛି। ମଣିପୁରରେ ଚାଲିଥିବା ହିଂସା ପରଠାରୁ କୁକି ଏବଂ ଜୋମି ଜନଜାତିର ୧୨ ହଜାରରୁ ଅଧିକ ଲୋକ ମିଜୋରାମରେ ଆଶ୍ରୟ ନେଇଛନ୍ତି। ମିଜୋରାମରେ ରହୁଥିବା ମେଇତି ସମ୍ପ୍ରଦାୟ ଲୋକ ସୁରକ୍ଷତିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଆରମ୍ଭ କରିଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ମଣିପୁର ସରକାର ଲୋକଙ୍କୁ ବିମାନ ଯୋଗେ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି।

ସୂଚନାଯୋଗ୍ୟ, ମିଜୋରାମରେ ରହୁଥିବା ମିଜୋ ଲୋକମାନଙ୍କର ମଣିପୁରର କୁକି ଏବଂ ଜୋମି ଜନଜାତି ସହିତ ଗଭୀର ଜାତିଗତ ସମ୍ପର୍କ ରହିଛି। ମଣିପୁରରେ ର୍ନିଯାତିତ ହୋଇଥିବା ମହିଳାମାନେ କୁକି ଏବଂ ଜୋମି ଜନଜାତିର ଥିଲେ। ଏଭଳି ପରିସ୍ଥିତିରେ ପୂର୍ବତନ ଆତଙ୍କବାଦୀ ସଂଗଠନ ମିଜୋ ନ୍ୟାସନାଲ ଫ୍ରଣ୍ଟର ସହଯୋଗୀ ସଂଗଠନ ପିସ ଆକୋର୍ଡ ଏମଏନଏଫ୍‌ ରିଟର୍ନ ଆସୋସିଏସନ (ପିଏଏମଆରଏ) ଶୁକ୍ରବାର ଏକ ବୟାନ ଜାରି କରିଛି। ସଂଗଠନ କହିଛି, ମିଜୋରାମରେ ରହୁଥିବା ମେଇତି ସମ୍ପ୍ରଦାୟର ଲୋକମାନେ ସେମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ଛାଡିବା ଉଚିତ। ମଣିପୁରରେ ଘଟିଥିବା ଏହି ଘଟଣାରେ ମିଜୋ ଲୋକଙ୍କୁ ଗଭୀର ଆଘାତ ଲାଗିଛି। ତେଣୁ ଏଭଳି ପରିସ୍ଥିତିରେ ମିଜୋରାମ ମେଇତି ଲୋକ ଏବେ ସୁରକ୍ଷିତ ନୁହଁନ୍ତି।

ମିଜୋରାମରେ ପ୍ରାୟ ୨୦୦୦ ମେଇତି ସମ୍ପ୍ରଦାୟର ଲୋକ ବାସ କରନ୍ତି। ସେମାନେ ପ୍ରାୟତଃ ରାଜଧାନୀ ଆଇଜୱାଲ ଏବଂ ଏହାର ଆଖପାଖ ଅଞ୍ଚଳରେ ବାସ କରନ୍ତି। ପିଏଏମଆରଏଙ୍କ ବୟାନ ପରେ ମିଜୋରାମରେ ରହୁଥିବା ମେଇତି ସମ୍ପ୍ରଦାୟ ମଧ୍ୟରେ ଭୟ ବ୍ୟାପି ଯାଇଛି। ସେମାନେ ନିଜ ଭିଟାମାଟି ଛାଡି ଯିବାକୁ ଅଣ୍ଟା ଭିଡିଛନ୍ତି। ତେବେ ମିଜୋରାମ ସରକାର ଲୋକଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ, ମିଜୋରାମରେ ସେମାନଙ୍କ ପ୍ରତି କୌଣସି ବିପଦ ନାହିଁ ଏବଂ ମେଇତି ପ୍ରାଧାନ୍ୟ ସ୍ଥାନରେ ପୋଲିସ ମଧ୍ୟ ମୁତୟନ କରାଯାଇଛି। ତଥାପି, ଏହି ସତ୍ତ୍ୱେ ଲୋକମାନେ ମିଜୋରାମରୁ ସ୍ଥାନାନ୍ତର ହେଉଛନ୍ତି ।

Share