Categories: ଜାତୀୟ

ମଣିପୁର ଖେଳାଳି ତାମିଲନାଡୁରେ ନିଅନ୍ତୁ ତାଲିମ: ଷ୍ଟାଲିନଙ୍କ ଆମନ୍ତ୍ରଣ…

ଚେନ୍ନାଇ,୨୩।୭ : ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ରବିବାର ହିଂସାକାଣ୍ଡ ଜାରି ରହିଥିବା ମଣିପୁରରୁ କ୍ରୀଡ଼ାବିତ୍‌ ମାନଙ୍କୁ ତାଙ୍କ ରାଜ୍ୟରେ ତାଲିମ ନେବା ପାଇଁ ଆମନ୍ତ୍ରଣ କରିଛନ୍ତି। ତାଙ୍କ ପୁଅ ତଥା କ୍ରୀଡ଼ା ମନ୍ତ୍ରୀ ଉଦୟାନିଧି ଖେଳାଳିଙ୍କୁ ଏହି ସୁବିଧା ଯୋଗାଇଦେବାକୁ ଆଶ୍ୱାସନା ଦେଇଛନ୍ତି। ଏକ ବିବୃତ୍ତିରେ ସିଏମ ଷ୍ଟାଲିନ କହିଛନ୍ତି ମଣିପୁରର ପରିସ୍ଥିତି ଖେଲୋ ଇଣ୍ଡିଆ ଏବଂ ଏସୀୟ ଗେମ୍ସ ଭଳି ଇଭେଣ୍ଟ ପାଇଁ ଟ୍ରେନିଂ ନେବା ପାଇଁ ଅନୁକୂଳ ନୁହେଁ।

ସେ କହିଛନ୍ତି ମୁଁ ତାମିଲନାଡୁର ମଣିପୁର ଖେଳାଳିଙ୍କ ପାଇଁ ବ୍ୟବସ୍ଥା କରିବାକୁ ଯୁବ କଲ୍ୟାଣ ତଥା କ୍ରୀଡ଼ା ବିକାଶ ମନ୍ତ୍ରୀ ଉଦୟାନିଧି ଷ୍ଟାଲିନଙ୍କୁ ନିର୍ଦ୍ଦେଶ ଦେଇଛି। ଏଥି ସହ ଷ୍ଟାଲିନଙ୍କ ପୁଅ ତଥା ତାଙ୍କ ସରକାରର ଜଣେ ମନ୍ତ୍ରୀ ଉଦୟାନିଧି କ୍ରୀଡା ବିଭାଗରୁ ଉଚ୍ଚମାନର ସୁବିଧା ଯୋଗାଇଦେବାକୁ ନିଶ୍ଚିତ କରିଛନ୍ତି।

ତାମିଲନାଡୁ ଖେଲୋ ଇଣ୍ଡିଆ ଗେମ୍ସର ୨୦୨୪ ସଂସ୍କରଣ ଆୟୋଜନ କରିବ। ଷ୍ଟାଲିନ କହିଛନ୍ତି ମଣିପୁର ଚାମ୍ପିୟନ, ବିଶେଷକରି ମହିଳା ଚାମ୍ପିୟନ ସୃଷ୍ଟି କରିବା ପାଇଁ ଜଣାଶୁଣା। ତାମିଲନାଡୁ ବର୍ତ୍ତମାନର ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିବା ସହିତ ସ୍ଥିତି ଉପରେ ନଜର ରଖିଛି।

ସେ କହିଛନ୍ତି ତାମିଲ ସଂସ୍କୃତି ପ୍ରେମ ଏବଂ ଯତ୍ନ ଦ୍ୱାରା ଜୀବିତ ରହିଛି। ଏହି ସଂସ୍କୃତି ୟଥୁମ ଓରେ, ୟାଭାରମ କେଲିରକୁ ଆଲୋକିତ କରିଛି। ଯାହାର ଅର୍ଥ ହେଉଛି ସବୁଆଡେ ମୋର, ସମସ୍ତ ଲୋକ ମୋର ସମ୍ପର୍କୀୟ। ସେ କହିଛନ୍ତି ତାମିଲନାଡୁରେ ମଣିପୁର ଖେଳାଳିଙ୍କ ପ୍ରଶିକ୍ଷଣ ଉପରେ ଏହା ତାଙ୍କ ନିର୍ଦ୍ଦେଶର ଆଧାର ଅଟେ। ମଣିପୁରର ଯେର୍ଉ ଲୋକମାନେ ଏହି ସୁବିଧା ପାଇବାକୁ ଇଚ୍ଛୁକ ସେମାନେ ୯୧-୮୯୨୫୯୦୩୦୪୭(91-8925903047) ରେ ଯୋଗାଯୋଗ କରିପାରିବେ କିମ୍ବା ଆଇଡି ପ୍ରମାଣ ସହ Sportstn2023@gmail.com କୁ ତାଲିମ ଆବଶ୍ୟକତା ପାଇଁ ଇମେଲରେଯୋଗାଯୋଗ କରିପାରିବେ।

Share