ଇମ୍ଫାଲ, ୨୯।୨: ମଣିପୁରରେ ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଅପହରଣ ସହ ତାଙ୍କ ବାସଭବନକୁ ଆକ୍ରମଣ ବିରୋଧରେ ରାଜ୍ୟର ପୋଲିସ କମାଣ୍ଡୋମାନେ ପ୍ରତୀକାତ୍ମକ ବିରୋଧ କରି ଅସ୍ତ୍ରଶସ୍ତ୍ର ତ୍ୟାଗ କରିଛନ୍ତି। ଇମ୍ଫାଲ ଘାଟି ଅନ୍ତର୍ଗତ ୪ଟି ଜିଲାର ୧୦୦ରୁ ଅଧିକ କମାଣ୍ଡୋ ଏହି ପ୍ରତୀକାତ୍ମକ ବିରୋଧରେ ସାମିଲ ହୋଇଛନ୍ତି। କିଛି ଆତତାୟୀଙ୍କ ଦ୍ୱାରା ମଙ୍ଗଳବାର ରାତିରେ ପଶ୍ଚିମ ଇମ୍ଫାଲର ସହକାରୀ ପୋଲିସ ଅଧୀକ୍ଷକ ଅମିତ ସିଂହଙ୍କ ବାସଭବନରେ ଗୁଳିଚାଳନା କରାଯାଇ ତାଙ୍କୁ ଅପହରଣ କରାଯାଇଥିଲା। ସମ୍ପୃକ୍ତ ଆତତାୟୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ସହ ଉପରିସ୍ଥ ଅଧିକାରୀଙ୍କ ଉପରେ ଚାପ ପ୍ରୟୋଗ କରିବାକୁ ଏହି ବିରୋଧ କରାଯାଇଛି।