Categories: ଜାତୀୟ

ମଣିପୁରରେ ମିଆଁମାର ସୀମା ନିକଟରେ ପୋଲିସ ଅଧିକାରୀଙ୍କୁ ଗୁଳିମାରି ହତ୍ୟା କଲେ ଉଗ୍ରବାଦୀ

ନୂଆଦିଲ୍ଲୀ,୩୧।୧୦: ମଣିପୁରରେ ଆରମ୍ଭ ହୋଇଥିବା ହିଂସା ଥମିବାର ନାଁ ନେଉ ନାହିଁ। ମଙ୍ଗଳବାର ମିଆଁମାର ସୀମାକୁ ଲାଗିଥିବା ଏକ ଅଞ୍ଚଳରେ କିଛି ଉଗ୍ରବାଦୀ ମିଶି ଜଣେ ପୋଲିସ ଅଧିକାରୀଙ୍କ ହତ୍ୟା କରିଛନ୍ତି। ଏହି ଘଟଣା ଟେଙ୍ଗନୋପାଲ ଜିଲ୍ଲାର ମୋରେହରେ ଘଟିଛି। ଏଠାରେ ଜଣେ ସବ-ଡିଭିଜନାଲ ପୋଲିସ ଅଧିକାରୀ (ଏସଡିପିଓ) ଙ୍କ ହତ୍ୟା ହୋଇଛି।

ଅଧିକାରୀ ଜଣକ ମୋରେହର ଇଷ୍ଟର୍ନ ସାଇନ୍ ସ୍କୁଲ୍ ପଡ଼ିଆରେ ପ୍ରସ୍ତାବିତ ଏକ ହେଲିପ୍ୟାଡ଼ର ନିର୍ମାଣ ସ୍ଥଳ ଅନୁଧ୍ୟାନ କରୁଥିବା ସମୟରେ ଉଗ୍ରବାଦୀ ମାନେ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଏସଡିପିଓ ଚିଙ୍ଗଥମ୍ ଆନନ୍ଦ କୁମାର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା, କିନ୍ତୁ ବୁଲେଟ୍ ଆଘାତ ଯୋଗୁଁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆନନ୍ଦ କୁମାରଙ୍କ ପେଟରେ ଗୁଳି ଲାଗିଥିଲା। ଘଟଣା ପରେ ବରିଷ୍ଠ ଅଧିକାରୀ ଏବଂ ଅର୍ଦ୍ଧସାମରିକ ସୈନ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଅଭିଯୁକ୍ତଙ୍କୁ ଧରିବାକୁ ତଦନ୍ତ ଆରମ୍ଭ କରୁଛନ୍ତି। ପୋଲିସ ଅଧିକାରୀଙ୍କ ମୃତ୍ୟୁ ପରେ ରାଜ୍ୟ ସରକାର ଏକ ଜରୁରୀକାଳୀନ କ୍ୟାବିନେଟ ବୈଠକ ଡାକି ଏହି ଘଟଣାର କଡ଼ା ନିନ୍ଦା କରିଛନ୍ତି। ଏହା ବ୍ୟତୀତ ମୃତ ଅଧିକାରୀଙ୍କ ପରିବାରକୁ 50 ଲକ୍ଷ ଟଙ୍କା ଏବଂ ଜଣେ ସଦସ୍ୟଙ୍କୁ ଚାକିରୀ ମଧ୍ୟ ଦେବାକୁ ଘୋଷଣା କରିଛନ୍ତି।

Share