Categories: ଜାତୀୟ

ମଣିପୁରରେ କଂଗ୍ରେସର ବଢିଲା ସଙ୍କଟ: ଭାଜପାରେ ସାମିଲ ହୋଇପାରନ୍ତି ୮ ବିଧାୟକ

ଇମ୍ଫାଲ,୨୧।୭: ମଣିପୁରରେ କଂଗ୍ରେସ ଉପରେ ସଙ୍କଟ ଦେଖାଦେଇଛି। ନମଣିପୁର କଂଗ୍ରେସ କମିଟି ସଭାପତି ଗୋବିନ୍ଦଦାସ କୋନ୍ଥୁଜାମ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏହା ସହିତ ବୁଧବାର ୮ ଜଣ କଂଗ୍ରେସ ବିଧାୟକ ଭାଜପାରେ ଯୋଗ ଦେଇପାରନ୍ତି ଚର୍ଚ୍ଚା ହେଉଛି। ଗୋବିନ୍ଦ ବିଷ୍ଣୁପୁର ଆସନରୁ ୬ ଥର ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି। ସେ ଗତ ବର୍ଷ ଡିସେମ୍ବରରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ଦ୍ୱାରା ରାଜ୍ୟ ସଭାପତି ଭାବେ ନିଯୁକ୍ତି ପାଇଥିଲେ। ଆସନ୍ତା ବର୍ଷ ମଣିପୁରରେ ମଧ୍ୟ ନିର୍ବାଚନ ହେବାର ଅଛି। ଏଭଳି ପରିସ୍ଥିତିରେ କଂଗ୍ରେସ ପାଇଁ ଏହା ଏକ ବଡ ସଙ୍କଟ।
୨୦୧୭ ରେ ପ୍ରଥମ ଥର ପାଇଁ ମଣିପୁର ବିଧାନସଭା ନିର୍ବାଚନରେ ଭାଜପା ଜିତିଥିଲା। ଏଥର ଭାଜପା ଦାବି କରିଛି ଯେ ଦଳ ୬୦ଟି ସିଟ ଜିତିବାର କ୍ଷମତା ରଖିଛି। ଏନପିପି, ଏନପିଏଫ ଏବଂ ୩ ସ୍ବାଧୀନ ବ୍ୟକ୍ତିଙ୍କ ସମର୍ଥନରେ ଭାଜପା ଏକ ମିଳିତ ସରକାର ଚଳାଇଛି। ଏହି ମିଳିତ ମଞ୍ଚରେ ମୋଟ ୩୬ ଜଣ ବିଧାୟକ ଅଛନ୍ତି। ତେବେ ୨୦୧୭ ନିର୍ବାଚନରେ ଭାଜପା ଅପେକ୍ଷା ଅଧିକ ଆସନ ପାଇବାରେ କଂଗ୍ରେସ ସଫଳ ହୋଇଥିଲା। କଂଗ୍ରେସ ୨୮ ଟି ସିଟ ଜିତିଥିବାବେଳେ ଭାଜପା ୨୧ଟି ସିଟ ଜିତଥିଲା। ଏନପିପି, ଏନପିଏଫ ଯଥାକ୍ରମେ ୪-୪ ସିଟ ଜିତିଥିଲେ। ବିଧାନସଭାରେ ଭାଜପା ୨୫ ଜଣ ସଦସ୍ୟ ଏବଂ କଂଗ୍ରେସରେ ୧୭ ଜଣ ଅଛନ୍ତି। ଏନପିପି, ଏନପିଏଫ ରେ ୪-୪ ସଦସ୍ୟ ଅଛନ୍ତି। ତୃଣମୂଳକଂଗ୍ରେସରେ ଜଣେ ବିଧାୟକ ଏବଂ ୩ ସ୍ବାଧୀନ ଅଛନ୍ତି। ଗୃହରେ ୪ଟି ଆସନ ଖାଲି ପଡ଼ିଛି।

Share