Categories: ଜାତୀୟ

ମଣିପୁର ଯୌନହିଂସା: ସଂସଦରେ ଅଚଳାବସ୍ଥା

ନୂଆଦିଲ୍ଲୀ,୨୨ା୭: ମଣିପୁର ହିଂସା ଓ ଯୌନହିଂସାକୁ ନେଇ ପାର୍ଲାମେଣ୍ଟ ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ ଅଚଳାବସ୍ଥା ଜାରି ରହିବାରୁ ଗୃହକାର୍ଯ୍ୟ ସୋମବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଶୁକ୍ରବାର ଲୋକ ସଭାରେ ଗୃହକାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ କଂଗ୍ରେସ, ଡିଏମ୍‌କେ ଏବଂ ବାମପନ୍ଥୀ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଯାଇ ସ୍ଳୋଗାନ ଦେଇଥିଲେ। ବାଚସ୍ପତି ଓମ୍‌ ବିର୍ଲାଙ୍କୁ କହିଥିଲେ, ମଣିପୁର ରକ୍ତରଞ୍ଜିତ। ବିରୋଧୀଙ୍କ ଏଭଳି ସ୍ଲୋଗାନରୁ କୌଣସି ସମାଧାନ ବାହାରିବ ନାହିଁ। କେବଳ ଆଲୋଚନା ଜରିଆରେ ହିଁ ସମାଧାନ ସମ୍ଭବ। ତେଣୁ ଗୃହ ଚଳାଇବାକୁ ଦିଅନ୍ତୁ ବୋଲି ବାଚସ୍ପତି ସେମାନଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ବିରୋଧୀ ସଦସ୍ୟମାନେ ବାଚସ୍ପତିଙ୍କ କଥା ଶୁଣି ନ ଥିଲେ। ବାଚସ୍ପତି ପ୍ରତିରକ୍ଷା ମନ୍ତ୍ରୀ ତଥା ଗୃହର ଉପନେତା ରାଜନାଥ ସିଂଙ୍କୁ କହିବାକୁ ପରାମର୍ଶ ଦେଇଥିଲେ। ରାଜନାଥ କହିଛନ୍ତି, ସରକାର ମଣିପୁର ହିଂସା ଉପରେ ଆଲୋଚନା ଚାହୁଁଛନ୍ତି। କିନ୍ତୁ ବିରୋଧୀ ଦଳଗୁଡ଼ିକ ହଟ୍ଟଗୋଳ କରି ଗୃହକାର୍ଯ୍ୟ ଚଳାଇବାକୁ ଦେଉନାହାନ୍ତି। ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ବାରମ୍ବାର ଗୃହକାର୍ଯ୍ୟ ବାଧାପ୍ରାପ୍ତ ହେବାରୁ ବାଚସ୍ପତି ଲୋକ ସଭାକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ରାଜ୍ୟ ସଭାରେ ମଧ୍ୟ ଅନୁରୂପ ସ୍ଥିତି ଦେଖିବାକୁ ମିଳିଥିଲା। ମଣିପୁର ପ୍ରସଙ୍ଗରେ ବିତର୍କ ଦାବି କରି ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ଫଳରେ ଗୃହର ଅଧ୍ୟକ୍ଷ ଜଗଦୀପ ଧନକର ଦିନକ ପାଇଁ ଗୃହକାର୍ଯ୍ୟ ମୁଲତବୀ ଘୋଷଣା କରିଛନ୍ତି।

Share