Categories: ଜାତୀୟ

ମଣିପୁର ଲଜ୍ଜା: ରାଷ୍ଟ୍ରୀୟ ମହିଳା ଆୟୋଗଙ୍କ ସଫେଇ

ଇମ୍ଫାଲ,୨୧।୭: ମଣିପୁରରେ ଦୁଇ ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ କରି ପରେଡ କରିବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ତେବେ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାର ଅଭିଯୋଗର ସ୍ପଷ୍ଟୀକରଣ ଦେଇଛି ଜାତୀୟ ମହିଳା ଆୟୋଗ। ମହିଳା ଆୟୋଗର ଅଧ୍ୟକ୍ଷ ରେଖା ଶର୍ମା କହିଛନ୍ତି, ମହିଳାମାନଙ୍କ ପ୍ରତି ହେଉଥିବା ହିଂସା ଘଟଣା ସମ୍ପର୍କରେ ଜାଣିବା ପାଇଁ ଆୟୋଗ ଗତ ତିନି ମାସ ମଧ୍ୟରେ ମଣିପୁରର ଅଧିକାରୀଙ୍କ ସହ ତିନିଥର ଯୋଗାଯୋଗ କରିବାକୁ ଚେଷ୍ଟା କରିଛି। କିନ୍ତୁ ଅଧିକାରୀଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନ ଥିଲା। ରେଖା ଶର୍ମା ମଣିପୁର କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯାଇଥିବା ଚିଠିକୁ ମଧ୍ୟ ଶେୟାର କରିଛନ୍ତି। ଏହି ଚିଠିଗୁଡ଼ିକ ମେ ୧୮,୨୯ ଏବଂ ଜୁନ୍‌ ୧୯ରେ ଲେଖାଯାଇଥିଲା।

ସୂଚନାଯୋଗ୍ୟ, ମଣିପୁରର କିଛି ଆଞ୍ଚଳିକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ ଅବସ୍ଥାରେ ପରେଡ କରିବା ଘଟଣାକୁ ଜୁନ ୧୨ରେ ଆୟୋଗ ପାଖରେ ଅଭିଯୋଗ ହୋଇଥିଲା। କିନ୍ତୁ ଆୟୋଗ ଏହା ଉପରେ କୌଣସି ପଦକ୍ଷେପ ନେଇ ନ ଥିଲେ। ଏହି ଘଟଣା ମେ ୪ ରେ ଘଟିଥିଲା ଏବଂ ଏହାର ଭିଡିଓ ଜୁଲାଇ ୧୯ରେ ଭାଇରାଲ ହୋଇଛି। ଯାହାକୁ ନେଇ ଦେଶବ୍ୟାପୀ ବିରୋଧ କରାଯାଉଛି। ଏହି ରିପୋର୍ଟଗୁଡିକ ଉପରେ ଜାତୀୟ ମହିଳା ଆୟୋଗ ଅଧ୍ୟକ୍ଷ ରେଖା ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଆୟୋଗଙ୍କୁ ସେପରି କୌଣସି ଅଭିଯୋଗ ଆସିନାହିଁ । ବର୍ତ୍ତମାନ ଭିଡିଓ ଭାଇରାଲ ହେବା ପରେ ଆୟୋଗ ଏନେଇ ସ୍ବତଃ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

 

Share