Categories: ଜାତୀୟ

ମଣିପୁର ହିଂସା: ୧୪ହଜାର ସ୍କୁଲ ପିଲା ବିସ୍ଥାପିତ

ନୂଆଦିଲ୍ଲୀ,୩।୮: ଗତ ପ୍ରାୟ ୩ ମାସ ଧରି ମଣିପୁରରେ ସୃଷ୍ଟ ହିଂସାରେ ପ୍ରାୟ ୧୪ହଜାର ସ୍କୁଲ ପିଲା ବିସ୍ତାପିତ ହୋଇଛନ୍ତି। ଏଥିମଧ୍ୟରୁ ୯୩ପ୍ରତିଶତ ପିଲାଙ୍କୁ ନିକଟସ୍ଥ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଥିବା କେନ୍ଦ୍ର ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଅର୍ନ୍ନପୂର୍ଣ୍ଣା ଦେବୀ ବୁଧବାର ରାଜ୍ୟ ସଭାରେ ବିବୃତି ରଖିଛନ୍ତି। ଗୃହରେ ଦିଆଯାଇଥିବା ସୂଚନା ଅନୁସାରେ ହିଂସା ଯୋଗୁ ମୋଟ ୧୪,୭୬୩ ସ୍କୁଲ ଯାଉଥିବା ପିଲା ପାଠପଢ଼ାରୁ ବଞ୍ଚତ୍ତ ହୋଇଛନ୍ତି। ସେମାନେ ବିଭିନ୍ନ ରିଲିଫ୍‌ କ୍ୟାମ୍ପରେ ଆଶ୍ରୟ ନେଇଥିବାବେଳେ ସେମାନଙ୍କୁ ଚିହ୍ନଟ କରିବା ପାଇଁ ପ୍ରତ୍ୟେକ କ୍ୟାମ୍ପରେ ଜଣେ ଜଣେ ନୋଡାଲ୍‌ ଅଫିସରଙ୍କୁ ନିଯୁକ୍ତସ୍‌ କରାଯାଇଛି। ନୋଡାଲ୍‌ ଅଫିସରମାନେ ବିସ୍ଥାପିତ ପିଲାମାନଙ୍କୁ ଚିହ୍ନଟ କ ରି ନିକଟସ୍ଥ ବିଦ୍ୟାଳୟଗୁଡ଼ିକରେ ମାଗଣାରେ ନାମ ଲେଖାଇବା ସହ ସେମାନଙ୍କ ପାଠପଢ଼ା କିପରି ଠିକ୍‌ ଭାବେ ହୋଇପାରିବ ସେନେଇ ନିଶ୍ଚିତ କରାଉଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ପ୍ରକାଶ ଯେ, ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ମେଇତି ଏବଂ କୁୁକି-ଜି ସମ୍ପ୍ରଦାୟ ମଧ୍ୟରେ ଗତ ଅଢ଼େଇ ମାସରୁ ଊର୍ଦ୍ଧ୍ୱ ସମୟ ଧରି ବିବାଦ ଲାଗିରହିଛି। ରାଜ୍ୟରେ ଜାତିଆଣ ଏବଂ ଯୌନହିଂସା ଉଗ୍ରରୂପ ଧାରଣ କରିଛି। ରାଜ୍ୟରେ ସଂଖ୍ୟାଗରିଷ୍ଠ ମେଇତି ସମ୍ପ୍ରଦାୟକୁ ତଫସିଲ୍‌ଭୁକ୍ତ ଜନଜାତି ବର୍ଗ(ଏସ୍‌ଟି)ରେ ସାମିଲ କରିବା ଦାବି ବିରୋଧରେ ଗତ ମେ’ ୩ ତାରିଖରେ ‘ଟ୍ରାଇବାଲ୍‌ ସଲିଡାରିଟି ମାର୍ଚ୍ଚ’ ଆନ୍ଦୋଳନ ଡାକରା ଦିଆଯାଇଥିଲା। ଏହି ସମୟରେ ହିଂସା ସ୍ଥିତି ସୃଷ୍ଟି ହୋଇଥିଲା। ଏପରି କି ଏହାର ଗୋଟେ ଦିନ ପରେ କୁକି-ଜି ସମ୍ପ୍ରଦାୟର ୨ଜଣ ମହିଳାଙ୍କୁ ବଳାତ୍କାର ପରେ ଉଲଗ୍ନ କରାଯାଇ ରାସ୍ତାରେ ଚଲାଯାଇଥିଲା। ହିଂସା ଯୋଗୁ ରାଜ୍ୟରେ ଏଯାବତ୍‌ ୧୬୦ ଲୋକ ପ୍ରାଣ ହରାଇଥିବାବେଳେ ଶତାଧିକ ଲୋକ ଆହତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି।

Share