Categories: ଜାତୀୟ

ମଣିପୁର ହିଂସା: ଉଦ୍ଧାର ହେଲେଣି ୨୩ ହଜାର

ଇମ୍ଫାଲ, ୮ା୫ : ମଣିପୁରରେ ଗତ କିଛିଦିନର ହିଂସାକାଣ୍ଡ ଓ ରକ୍ତାକ୍ତ ଜାତିଗତ ସଂଘର୍ଷ ପରେ ରବିବାର ଜୀବନଯାତ୍ରା ସ୍ବାଭାବିକ ସ୍ଥିତିକୁ ଫେରୁଥିବା ଦେଖାଯାଇଛି। ସୈନ୍ୟବାହିନୀ ପକ୍ଷରୁ ହିଂସାପ୍ରବଣ ଅଞ୍ଚଳରେ ଡ୍ରୋନ୍‌ ଏବଂ ହେଲିକପ୍ଟର ସହାୟତାରେ ଆକାଶ ମାର୍ଗରୁ ତୀକ୍ଷ୍ଣ ନଜର ରଖାଯାଇଛି। ରବିବାର ରାଜ୍ୟର ବିଭିନ୍ନ ଭାଗରେ କର୍ଫ୍ୟୁ କୋହଳ କରାଯାଇଛି। ଇତିମଧ୍ୟରେ ସେନା ଓ ଆସାମ ରାଇଫଲ୍ସର ଯବାନମାନେ ହିଂସାଗ୍ରସ୍ତ ଅଞ୍ଚଳରୁ ୨୩,୦୦୦ ସାଧାରଣ ନାଗରିକଙ୍କୁ ଉଦ୍ଧାର କଲେଣି। ସେମାନଙ୍କୁ ସୁରକ୍ଷିତ ସେନା ବେସ୍‌କୁ ପଠାଯାଇଛି।
ଦଙ୍ଗାଗ୍ରସ୍ତ ଚୁରାଚାନ୍ଦପୁର ଜିଲାରେ ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯିବା ପରେ ବହୁସଂଖ୍ୟାରେ ଲୋକେ ଘରୁ ବାହାରି ଖାଦ୍ୟ, ଔଷଧ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ କିଣୁଥିବା ଦେଖାଯାଇଥିଲା। ୧୦ଟା ପରେ ସେନା ଏବଂ ଆସାମ ରାଇଫଲ୍ସ ପକ୍ଷରୁ ଫ୍ଲାଗ୍‌ ମାର୍ଚ୍ଚ କରାଯାଇଥିଲା। ଦଙ୍ଗା କ୍ଷତିଗ୍ରସ୍ତ ଅଞ୍ଚଳରେ ୧୦ ହଜାର ସୈନ୍ୟ, ଅର୍ଦ୍ଧସାମରିକ ଯବାନ ଏବଂ କେନ୍ଦ୍ରୀୟ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ତୃଣମୂଳ ସ୍ତରରେ ଶାନ୍ତି ସୁନିଶ୍ଚିତ କରିବା ନିମନ୍ତେ ପ୍ରତି ନିର୍ବାଚନ ମଣ୍ଡଳୀରେ ଶାନ୍ତି କମିଟି ଗଢ଼ାଯିବ ବୋଲି ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ କହିଛନ୍ତି।
ମଣିପୁରର ହିଂସାପ୍ରବଣ ଅଞ୍ଚଳରେ ଫସିରହିଥିବା ଲୋକମାନଙ୍କୁ ଉଦ୍ଧାର କରିବା ଲାଗି ବିଭିନ୍ନ ରାଜ୍ୟ ସ୍ବତନ୍ତ୍ର ବିମାନର ଆୟୋଜନ କରିଛନ୍ତି। ଓଡ଼ିଶାର ୧୦ ଜଣ ଛାତ୍ରୀଛାତ୍ର ମଣିପୁରରୁ ଫେରିଥିବାବେଳେ ଅନ୍ୟମାନଙ୍କୁ ଫେରାଇ ଆଣିବାକୁ ଉଦ୍ୟମ ହେଉଛି। ମହାରାଷ୍ଟ୍ରର ୨୨ ଜଣ ଶିକ୍ଷାର୍ଥୀଙ୍କୁ ଫେରାଇ ଆଣିବା ଲାଗି ପଦକ୍ଷେପ ନିଆଯାଉଥିବା ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ କହିଛନ୍ତି। ଆନ୍ଧ୍ରପ୍ରଦେଶ ସରକାର ମଣିପୁରରୁ ଛାତ୍ରୀଛାତ୍ରଙ୍କୁ ଫେରାଇ ଆଣିବା ଲାଗି ଶନିବାର ହେଲ୍ପଲାଇନ ଖୋଲିବା ସହ ନୂଆଦିଲ୍ଲୀରେ କଣ୍ଟ୍ରୋଲ ରୁମ୍‌ ଖୋଲିଥିଲେ। ସେହିପରି ପଶ୍ଚିମବଙ୍ଗ ଛାତ୍ରୀଛାତ୍ରଙ୍କୁ ମଣିପୁରରୁ ଫେରାଇ ଆଣିବା ଲାଗି ଉଦ୍ୟମ ଜାରି ରହିଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି।

Share