Categories: ଜାତୀୟ

ମଣିପୁର ହିଂସା: ୨ ଖବରଦାତାଙ୍କ ସମେତ ୨୭ ନିଖୋଜ

ଇମ୍ଫାଲ,୨୮।୭: ମଣିପୁର ଜାତିଆଣ ହିଂସାକୁ ନେଇ ଲଗାତାର ଭାବେ ନୂଆ କଥା ସାମ୍ନାକୁ ଆସୁଛି। ଗୋଟିଏ ପଟେ ଦୁଇ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଘଟଣାର ତଦନ୍ତ ଭାର ସିବିଆଇକୁ ଦିଆଯାଇଥିବା ବେଳେ ଏବେ ହିଂସା ପ୍ରଭାବିତ ଅଞ୍ଚଳରୁ ୨ ଖବରଦାତା, ୨ ନାବାଳିକା ଏବଂ ୨ ମହିଳାଙ୍କ ସମେତ ପ୍ରାୟ ୨୭ ଅଣଆଦିବାସୀ ବ୍ୟକ୍ତି ନିଖୋଜ ଥିବା ଜଣାପଡ଼ିଛି।

ମଣିପୁରରେ ସ୍ଥାନୀୟ ଗଣମାଧ୍ୟମର ୨ ଖବରଦାତା ନିଖୋଜ ଅଛନ୍ତି। ସେମାନେ ହେଲେ ଆଟମ ସମରେନ୍ଦ୍ର ସିଂହ(୪୭) ଏବଂ ୟୁମଖୈବମ କିରଣ କୁମାର ସିଂହ(୪୮)। ଏମାନଙ୍କ ଛଡ଼ା କିଛି ମେ’, କିଛି ଜୁନ୍‌ ଏବଂ ବାକି ବ୍ୟକ୍ତି ଜୁଲାଇରୁ ନିଖୋଜ ଅଛନ୍ତି। ଅନେକ ଥାନାରେ ନିଖୋଜ ସମ୍ପର୍କିତ ମାମଲା ରୁଜୁ କରାଯାଇଛି। ତେବେ ସେମାନଙ୍କ ବୟସ ୧୭ ବର୍ଷରୁ ୪୭ ବର୍ଷ ମଧ୍ୟରେ ହୋଇଥିବା କୁହାଯାଉଛି।

ପ୍ରକାଶ ଯେ, ଭାଜପା ଶାସିତ ଏହି ରାଜ୍ୟରେ ମେ’ ୩ରୁ ଜାତିଆଣ ହିଂସା ଲାଗି ରହିଛି। ଏଥିରେ ଶହ ଶହ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ବହୁ ଯୁବତୀ, ମହିଳାଙ୍କୁ ବଳାତ୍କାର କରାଯାଉଛି। ତଫସିଲଭୁକ୍ତ ଜନଜାତି(ଏସ୍‌ଟି) ମାନ୍ୟତା ଦାବି କରୁଥିବା ଅଣଆଦିବାସୀ ମେଇତି ସମ୍ପ୍ରଦାୟର ଲୋକେ କୁକି ବର୍ଗ ଉପରେ ଅକଥନୀୟ ଅତ୍ୟାଚାର କରିଚାଲିଥିବା ଗତ ସପ୍ତାହରେ ସାମାଜିକ ଗଣମାଧ୍ୟମରେ ଉକ୍ତ ଭିଡିଓ ଭାଇରାଲ ହୋଇଥିଲା। ଏହା ଜାତୀୟ ଲଜ୍ଜା ପାଲଟିଥିବା ବେଳେ ବିଦେଶରେ ମଧ୍ୟ ଭାରତର ଛବିକୁ କଳଙ୍କିତ କରିଛି।

Share