Categories: ଜାତୀୟ

ମଣିପୁର ହିଂସା: ଜୋରାମଥାଙ୍ଗାଙ୍କୁ ଫୋନ କଲେ ବିରେନ ସିଂ…

ଇମ୍ଫାଲ/ଆଇଜଲ,୧୮।୬ : ମଣିପୁରରେ ଚାଲିଥିବା ହିଂସା ସମ୍ପର୍କରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ରବିବାର ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗାଙ୍କ ସହ ଫୋନରେ କଥା ହୋଇଛନ୍ତି। କଥାବାର୍ତ୍ତା ସମୟରେ ବିରେନ ସିଂ ଜୋରାମଥାଙ୍ଗାଙ୍କ ସହାୟତା ଲୋଡିଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଉଭୟ ରାଜ୍ୟ ମଧ୍ୟରେ ଶାନ୍ତିପୂର୍ଣ୍ଣ ସହଭାଗିତା ରହିବ ବୋଲି ସେ ଅନୁରୋଧ କରିଛନ୍ତି।

ମିଜୋରାମ ସିଏମ ଜୋରାମଥାଙ୍ଗା ଟୁଇଟ କରି କହିଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ମଧ୍ୟାହ୍ନ ସାଢ଼େ ୧୨ଟାରେ ମୋ ସହ ଫୋନରେ କଥା ହୋଇଥିଲେ। ମଣିପୁରରେ ଚାଲିଥିବା ହିଂସା ବିଷୟରେ ଏହି ସମସ୍ୟାର ସମାଧାନ ପାଇଁ ମୋର ସାହାଯ୍ୟ ଲୋଡିଛନ୍ତି। ଶାନ୍ତିପୂର୍ଣ୍ଣ ଭାବରେ ଏହି ପ୍ରସଙ୍ଗର ସମାଧାନ ଉପରେ ସେ ଗୁରୁତତ୍ୱାରୋପ କରିଛନ୍ତି। ମିଜୋରାମର ମେତାଇ ସମ୍ପ୍ରଦାୟଙ୍କର ସମସ୍ୟାକୁ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରିବା ପାଇଁ ଉପାୟ ଏବଂ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଛନ୍ତି। ମୁଁ ମଣିପୁରର ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ୱାସନା ଦେଇ କହିଛି ମିଜୋରାମ ସରକାର ଚାଲିଥିବା ହିଂସାକୁ ନେଇ ଦୁଃଖ ପ୍ରକାଶ କରୁଛନ୍ତି ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଆମେ କିଛି ପଦକ୍ଷେପ ନେଇଛୁ।

ଜୋରାମଥାଙ୍ଗା ତାଙ୍କ ଟୁଇଟରେ କହିଛନ୍ତି ମଣିପୁର ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ନେଇଥିବା ପଦକ୍ଷେପକୁ ଆମେ ସମର୍ଥନ କରୁଛୁ। ମୁଁ ମଣିପୁରର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଜଣାଇଛି ଆମେ ମିଜୋରାମର ଲୋକମାନେ ମେତାଇ ସମ୍ପ୍ରଦାୟଙ୍କ ପ୍ରତି ସହାନୁଭୂତି ଦେଖାଉଛୁ ଏବଂ ଆମର ସରକାର ଓ ଏନଜିଓମାନେ ଶାନ୍ତି ତଥା ନିରାପତ୍ତା ପାଇଁ ପଦକ୍ଷେପ ନେଇଛନ୍ତି। ସେମାନଙ୍କର ଭୟ କରିବାର କିଛି ନାହିଁ। ସେମାନଙ୍କର ସୁରକ୍ଷା ଏବଂ ନିରାପତ୍ତାକୁ ପ୍ରୋତ୍ସାହିତ କରିବା ପାଇଁ ଆମେ ସବୁବେଳେ ସେମାନଙ୍କ ପାଖରେ ଛିଡା ହୋଇଛୁ।

Share