Categories: ଜାତୀୟ

ମଣିପୁର ହିଂସା: ମୃତ୍ୟୁ ୫୪କୁ ବୃଦ୍ଧି

ଇମ୍ଫାଲ, ୭।୫: ମଣିପୁର ହିଂସାଜନିତ ମୃତ୍ୟୁସଂଖ୍ୟା ଶନିବାର ସୁଦ୍ଧା ୫୪ରେ ପହଞ୍ଚିଥିବା ସରକାରୀ ଭାବେ କୁହାଯାଇଛି। ରାଜ୍ୟର ହିଂସାପ୍ରବଣ ଅଞ୍ଚଳକୁ ସୈନ୍ୟବାହିନୀ ନିୟନ୍ତ୍ରଣକୁ ନେବା ପରେ ଇମ୍ଫାଲ ଉପତ୍ୟକାରେ ଜୀବନଯାତ୍ରା ସ୍ବାଭାବିକ ହୋଇଛି। ଦୋକାନ ବଜାର ଖୋଲିବା ସହ ରାସ୍ତାରେ ଯାନବାହନ ଚଳାଚଳ ଆରମ୍ଭ ହୋଇଛି। ଶନିବାର ସକାଳେ ଇମ୍ଫାଲ ଓ ଅନ୍ୟ ସହରରେ ଦୋକାନ ବଜାର ଖୋଲିବା ପରେ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ କିଣାକିଣିରେ ବ୍ୟସ୍ତ ରହିଥିବା ଦେଖାଯାଇଛି। ହିଂସାପ୍ରବଣ ଅଞ୍ଚଳରେ ଅଧିକ ସେନା ଯବାନ, ରାପିଡ୍‌ ଆକ୍ସନ ଫୋର୍ସ ଏବଂ କେନ୍ଦ୍ରୀୟ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ମୋଟ ୧୩,୦୦୦ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ଆଶ୍ରୟସ୍ଥଳରେ ରଖାଯାଇଛି। ସେମାନଙ୍କ ମଧ୍ୟରୁ କେତେଜଣ ସେନା କ୍ୟାମ୍ପ୍‌ରେ ଆଶ୍ରୟ ନେଇଥିବା ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି। ଚୁରାଚାନ୍ଦପୁର ସମେତ ମୋରେହ, କାକ୍‌ଚିଙ୍ଗ ଏବଂ କାଙ୍ଗପୋକ୍‌ପି ଜିଲା ସେନାର ଦୃଢ଼ ନିୟନ୍ତ୍ରଣରେ ରହିଛି। ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ରବିବାର ହେବାକୁ ଥିବା ମେଡିକାଲ ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି-ୟୁଜିକୁ ସ୍ଥଗିତ ରଖିଛି। ମେଇତି ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି (ଏସ୍‌ଟି) ମାନ୍ୟତା ପ୍ରଦାନ ନେଇ ମଣିପୁର ହାଇକୋର୍ଟଙ୍କ ରାୟକୁ ବିରୋଧ କରି ବୁଧବାରଠାରୁ ହିଂସାତ୍ମକ ସଂଘର୍ଷ ଲାଗି ରହିଥିବାବେଳେ ରାଜ୍ୟରେ ସେନା ଏବଂ ଆସାମ ରାଇଫଲ୍ସରୁ ପାଖାପାଖି ୧୦,୦୦୦ ସୈନ୍ୟଙ୍କୁ ମୁତୟନ କରାଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂଙ୍କ ସହ ରାଜ୍ୟର ସ୍ଥିତି ସମୀକ୍ଷା କରିଥିଲେ। ମଣିପୁର ଜଳୁଥିବାବେଳେ ଶାନ୍ତିରକ୍ଷା ପାଇଁ ଧର୍ମମତ ନିର୍ବିିଶେଷରେ ସବୁ ମହିଳା ଆଗେଇ ଆସିବାକୁ ଲୌହ ମାନବୀ ଇରମ ଶର୍ମିଲା ଚାନୁ ଆହ୍ବାନ ଦେଇଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ତାଙ୍କ ରାଜ୍ୟକୁ ଆସି ଜନସାଧାରଣଙ୍କ ସମସ୍ୟା ବୁଝି ସମାଧାନ କରନ୍ତୁ ବୋଲି ଶର୍ମିଲା ଅନୁରୋଧ କରିଛନ୍ତି।

Share