Categories: ଜାତୀୟ

ଇଣ୍ଟରନେଟ ଚାଲୁ କରିବା ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟ ପହଞ୍ଚିଲେ ମଣିପୁର ସରକାର

ଇମ୍ଫାଲ,୧୦।୭: ମଣିପୁରର ହିଂସା ପ୍ରଭାବିତ ଅଞ୍ଚଳରେ ଇଣ୍ଟରନେଟ ସେବା ପୁଣି ଯୋଗାଇଦେବାକୁ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟ ପହଞ୍ଚିଛନ୍ତି। ରାଜ୍ୟ ସରକାର କହିଛନ୍ତି ସ୍ଥିତିରେ ବାରମ୍ବାର ପରିବର୍ତ୍ତନ ହେଉଛି। ଏବେ ଏହି ନିର୍ଦ୍ଦେଶ ପରେ ଭିନ୍ନ ଧରଣର ଅସୁବିଧା ହୋଇପାରେ। ମୁଖ୍ୟ ବିଚାରପତି ସୋମବାର ଏହାର ଶୁଣାଣି ହେବ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଗତ ଦୁଇ ମାସ ଧରି ମଣିପୁରରେ ହିଂସା ଘଟଣା ସାମ୍ନାକୁ ଆସୁଛି। ଏଠାରେ ଇଣ୍ଟରନେଟ ବନ୍ଦ ହେବାର ଦୁଇ ମାସରୁ ଅଧିକ ସମୟ ବିତିଗଲାଣି। ନିକଟରେ ମଣିପୁର ସରକାର ଇଣ୍ଟରନେଟ ନିଷେଧାଦେଶକୁ ୧୦ ଜୁଲାଇ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ଇଣ୍ଟରନେଟ ନିଷେଧ ବିରୋଧରେ ଆବେଦନ ଶୁଣାଣି ବେଳେ ମଣିପୁର ହାଇକୋର୍ଟ କହିଥିଲେ ଯେ ଗୃହ ବିଭାଗ କେସ-କେସ ଆଧାରରେ ଇଣ୍ଟରନେଟ ସେବା ଯୋଗାଇ ପାରିବ।
ମଣିପୁର ହାଇକୋର୍ଟ ମୋବାଇଲ ଫୋନରେ ଇଣ୍ଟରନେଟ ସେବାର ପରୀକ୍ଷା କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏ ବାବଦରେ କୋର୍ଟ ଏକ ବିସ୍ତୃତ ରିପୋର୍ଟ ମାଗିଛନ୍ତି। ଜୁଲାଇ ୨୫ରେ କୋର୍ଟ ଏହି ମାମଲାର ଶୁଣାଣି କରିବେ। ଅନେକ ପିଆଇଏଲ ଶୁଣିବା ପରେ ଜଷ୍ଟିସ ଏ. ବିମଲ ଏବଂ ଜଷ୍ଟିସ ଏ. ଗୁନେଶ୍ୱର ଶର୍ମା କହିଛନ୍ତି ଯେ ’ଫାଇବର ଟୁ ଦ ହୋମ’ (FTTH) ସଂଯୋଗ କ୍ଷେତ୍ରରେ ଗୃହ ବିଭାଗ କେସ-କେସ ଆଧାରରେ ଇଣ୍ଟରନେଟ ସେବା ଯୋଗାଇ ଦେଇପାରେ ଏବଂ କମିଟି ଦେଇଥିବା ସୁରକ୍ଷା ବ୍ୟବସ୍ଥାକୁ ପାଳନ କରିବ।

Share