Categories: ଜାତୀୟ

ମଣିପୁର ଯୌନହିଂସା ବିରୋଧରେ ରାସ୍ତାକୁ ଓହ୍ଲାଇଲେ ମହିଳା, ପୋଲିସ ସହ ଧସ୍ତାଧସ୍ତି

ଇମ୍ଫାଲ,୨୨।୭: ମଣିପୁରରେ ୨ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ମାମଲାରେ ଆକ୍ରୋଶ ବଢ଼ିବାରେ ଲାଗିଛି। ଶନିବାର ଇମ୍ଫାଲର ଗାରି ଅଞ୍ଚଳରେ ମହିଳାମାନେ ଘଟଣାକୁ ନେଇ ବିରୋଧ ପ୍ରଦର୍ଶନ କରିଛନ୍ତି। ସେମାନେ ଟାୟାର ଜାଳିବା ସହ ନାରାବାଜି ଦେଉଥିବା ବେଳେ ପୋଲିସ ସହ ଧସ୍ତାଧସ୍ତି ମଧ୍ୟ ହୋଇଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ଲାଗି ପୋଲିସ ବିକ୍ଷୋଭକାରୀଙ୍କୁ ଘଊଡାଇ ଦେଇଛି। ଏବେ ଅଞ୍ଚଳରେ ପୋଲିସ ଫ୍ଲାଗମାର୍ଚ୍ଚ କରୁଛି। ତେବେ ଶୁକ୍ରବାର ମଧ୍ୟ ଘଟଣାକୁ ବିରୋଧ କରି ଲୋକେ ରାସ୍ତାକୁ ଓହ୍ଲାଇଥିଲେ। ଏପରିକି ବିକ୍ଷୋଭକାରୀ ଜଣେ ଅଭିଯୁକ୍ତଙ୍କ ଘର ପୋଡି ମଧ୍ୟ ଦେଇଥିଲେ।

ସେହିଭଳି ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଅଭିଯୁକ୍ତଙ୍କ ନାମ ୟାମଲେମ୍ବମ୍‌ ନଙ୍ଗସିଥୋଇ ମେଟାଇ(୧୯) ବୋଲି ଜଣାପଡ଼ିଛି। ପୂର୍ବରୁ ୪ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଏବେ ମୋଟ ଗିରଫଦାରି ସଂଖ୍ୟା ୫କୁ ବୃଦ୍ଧି ପାଇଛି। ଭାଇରାଲ ଭିଡିଓ ଆଧାରରେ ପୋଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଗିରଫ କରିବାକୁ ଚଢ଼ାଉ ଜାରି ରଖିଛି।

ଜୁଲାଇ ୧୯ରେ ବର୍ବର ଭିଡିଓ ସାମ୍ନାକୁ ଆସିବା ପରେ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଅପରପକ୍ଷେ ଶୁକ୍ରବାର ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ୧୧ ଦିନ ଲାଗି ପୋଲିସ ହେପାଜତକୁ ପଠାଇ ଦିଆଯାଇଥିଲା।

Share