ଇମ୍ଫାଲ,୨୨।୭: ମଣିପୁର ଭାଇରାଲ ଭିଡିଓ ମାମଲାରେ ଶନିବାର ପୋଲିସ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଯାହାଙ୍କୁ ମିଶାଇ ଏପର୍ଯ୍ୟନ୍ତ ଗିରଫ ୫ ଜଣଙ୍କୁ କରାଯାଇଛି। ଏହି ସମୟରେ ରାଜଧାନୀ ଇମ୍ଫାଲରୁ ପୁଣି ଥରେ ହିଂସା ଖବର ସାମ୍ନାକୁ ଆସିଛି।
ରିପୋର୍ଟ ଅନୁଯାୟୀ, ମହିଳା ବିକ୍ଷୋଭକାରୀମାନେ ଇମ୍ଫାଲର ଗଡି ଅଞ୍ଚଳରେ ଉଭୟ ପାର୍ଶ୍ୱରୁ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି। ରାସ୍ତାରେ ଟାୟାର ଜାଳି ବିକ୍ଷୋପ ପ୍ରଦର୍ଶନ କରୁଛନ୍ତି। ସୂଚନା ପାଇବା ମାତ୍ରେ ମଣିପୁର ସଶସ୍ତ୍ର ପୋଲିସ, ଆର୍ମି ଏବଂ ରାପିଡ ଆକ୍ସନ ଫୋର୍ସ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସୁରକ୍ଷା ବାହିନୀ ପରିସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି। ରାସ୍ତାରେ ପୋଡି ଯାଇଥିବା ଟାୟାର ଇତ୍ୟାଦିକୁ ମଧ୍ୟ ଲିଭାଯାଇଥିଲା। ବିକ୍ଷୋଭକାରୀଙ୍କୁ ନିୟନ୍ତ୍ରଣରେ ରଖିବା ପାଇଁ ପୋଲିସ ଏବଂ ସୁରକ୍ଷା ବାହିନୀ ମିଳିତ ଭାବେ ବିଭିନ୍ନ ଅଞ୍ଚଳରେ ପତାକା ପ୍ରଦର୍ଶନ କରିଥିଲେ।