ମଣିପୁର ଘଟଣାରେ ନ୍ୟାୟ ଦାବି କଲେ ପ୍ରିୟଙ୍କା

ମୁମ୍ବାଇ: ମଣିପୁରରେ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଘଟଣା ସମଗ୍ର ଦେଶକୁ ଚକିତ କରିଛି। ଏହି ହୃଦୟ ବିଦାରକ ଘଟଣାର ଭିଡିଓ ବୁଧବାର ଭାଇରାଲ ହୋଇଛି। ସେବେଠାରୁ ଲୋକମାନେ ସୋସିଆଲ ମିଡିଆରେ ନିଜର କ୍ରୋଧ ପ୍ରକାଶ କରୁଛନ୍ତି ଏବଂ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି। ଏଥି ସହିତ ବଲିଉଡର ସମସ୍ତ ସେଲିବ୍ରିଟି ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛନ୍ତି। ବର୍ତ୍ତମାନ ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା ମଧ୍ୟ ଏହି ଘଟଣାରେ ତାଙ୍କର ଦୃଢ ପ୍ରତିକ୍ରିୟା ଦେଇଛନ୍ତି।

ସେ ଏହି ଘଟଣାକୁ ନେଇ କ୍ରୋଧ ପ୍ରକାଶ କରି ଏହାକୁ ଏକ ସାମୂହିକ ଲଜ୍ଜା ବୋଲି କହିଛନ୍ତି ଏବଂ ଏହା ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ସମଗ୍ର ଦେଶକୁ ନିବେଦନ କରିଛନ୍ତି। ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ଲେଖିଛନ୍ତି, ଏଠାରେ ଏକ ଭିଡିଓ ଭାଇରାଲ ହେଉଛି। ଜଘନ୍ୟ ଅପରାଧର ୭୭ଦିନ ପରେ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ତର୍କ? କାରଣ? କିଛି ଫରକ ପଡୁନାହିଁ , କ’ଣ ପାଇଁ ଏବଂ କାହିଁକି। ଆମେ ମହିଳାମାନଙ୍କୁ କୌଣସି କ୍ଷେତ୍ରରେ ଖେଳର ମୋହରା ବନେଇବାକୁ ଦେବୁନାହିଁ। ପ୍ରିୟଙ୍କା ତାଙ୍କ ପୋଷ୍ଟରେ ଆହୁରି ଲେଖିଛନ୍ତି, ଏହା ସାମୂହିକ ଲଜ୍ଜାର ବିଷୟ ଏବଂ ମଣିପୁରର ମହିଳାମାନଙ୍କ ପାଇଁ ନ୍ୟାୟ ରହିବା ଉଚିତ୍‌।

Share