Categories: ଜାତୀୟ

‘ମଣିପୁରରେ ଜାତିଗତ ବିବାଦ ଭାରତର ଭାବମୂର୍ତ୍ତିକୁ କରୁଛି କ୍ଷୁଣ୍ଣ’

ଇମ୍ଫାଲ,୩୦।୭: ମଣିପୁରର ପରିସ୍ଥିତି ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ବାଭାବିକ ହୋଇନାହିଁ। ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର କିଛି ଏମ୍‌ପିମାନେ ମଣିପୁର ଗସ୍ତ କରି ବର୍ତ୍ତମାନର ପରିସ୍ଥିତିକୁ ଅନୁଧ୍ୟାନ କରିଥିଲେ। ମଣିପୁର ଗସ୍ତରେ ଆସିଥିବା ଏମ୍‌ପିମାନଙ୍କ ମଧ୍ୟରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ମଧ୍ୟ ଅଛନ୍ତି। ରବିବାର ସେ କହିଛନ୍ତି, ଯଦି ମଣିପୁରରେ ଜାତିଗତ ବିବାଦର ସମସ୍ୟାର ଶୀଘ୍ର ସମାଧାନ ନ ହୁଏ ତେବେ ଏହା ଦେଶ ପାଇଁ ସୁରକ୍ଷା ସମସ୍ୟା ସୃଷ୍ଟି କରିପାରେ। ମଣିପୁରରେ ଜାତିଗତ ବିବାଦ ଭାରତର ଭାବମୂର୍ତ୍ତିକୁ କ୍ଷୁଣ୍ଣ କରୁଛି ।
‘ଇଣ୍ଡିଆ’ର ୨୧ ଏମ୍‌ପି ରାଜ ଭବନରେ ରାଜ୍ୟପାଳ ଅନାସୁୟା ଉଇକେଙ୍କୁ ଭେଟି ଉତ୍ତର-ପୂର୍ବ ରାଜ୍ୟର ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ଏକ ସ୍ମାରକପତ୍ର ଦାଖଲ କରିଥିଲେ। ବୈଠକ ପରେ ଅଧୀର ରଞ୍ଜନ କହିଛନ୍ତି, ରାଜ୍ୟପାଳ ଆମ କଥାରେ ସହମତ ହୋଇଥିଲେ। ହିଂସା ଘଟଣାରେ ସେ ଦୁଃଖ ପ୍ରକାଶ କରିବା ସହ ସମ୍ପ୍ରଦାୟ ମଧ୍ୟରେ ଅବିଶ୍ୱାସ ଦୂର କରିବାକୁ ଆମେ ପ୍ରସ୍ତାବ ଦେଇଛି। ଏମ୍‌ପିମାନେ ମଣିପୁରରେ ଦେଖାଯାଇଥିବା ପରିସ୍ଥିତି ସମ୍ପର୍କରେ ସଂସଦରେ ଏକ ରିପୋର୍ଟ ଉପସ୍ଥାପନ କରିବେ। ଦିନକୁ ଦିନ ଅବସ୍ଥା ବିଗିଡିବା ପରେ ଆମେ ମଣିପୁର ଉପରେ ଆଲୋଚନା କରିବାକୁ ଅନୁରୋଧ କରିଛୁ।
ବିରୋଧୀ ଦଳର ୨୧ ଜଣ ଏମ୍‌ପିଙ୍କ ଏକ ପ୍ରତିନିଧୀ ଶନିବାର ଦିନ ମଣିପୁରରେ ପହଞ୍ଚି ସ୍ଥିତିର ସ୍ଥିତି ଅନୁଧ୍ୟାନ କରିବା ସହ ରାଜ୍ୟରେ ପ୍ରାୟ ତିନିମାସ ଧରି ଚାଲିଥିବା ଜାତିଗତ ବିବାଦର ଶିକାର ହୋଇଥିବା ଲୋକଙ୍କୁ ଭେଟିଥିଲେ।

Share