Categories: ଜାତୀୟ

ମଣିପୁର ହିଂସା: ମହିଳାଙ୍କ ଭିଡିଓ ଭାଇରାଲ ଘଟଣା ଶୁଣାଣି ଆଜି, ଅନ୍ୟ ରାଜ୍ୟକୁ ମାମଲା ଟ୍ରାନ୍ସଫର କରିବାକୁ ଅନୁରୋଧ

ନୂଆଦିଲ୍ଲୀ,୩୧।୭: ଦୀର୍ଘ ୩ ମାସ ପରେ ବି ଶାନ୍ତ ପଡିନି ମଣିପୁର। ଆଜିବି ସେଠାରେ ସ୍ଥାନେ ସ୍ଥାନେ ହିଂସାର ବାତାବରଣ ଦେଖିବାକୁ ମିଳୁଛି। ଗୋଟିଏ ପଟେ ହିଂସାକୁ ନେଇ ଦେଶ ଚିନ୍ତିତ ଥିବା ବେଳେ ଅନ୍ୟପଟେ ମହିଳାଙ୍କ ନଗ୍ନ ଭିଡିଓ ଭାଇରାଲ ଘଟଣାରେ ସରକାର କାଠଗଡାରେ। ଇତିମଧ୍ୟରେ ମହିଳାଙ୍କ ଭିଡିଓ ଭାଇରାଲ ମାମଲାକୁ ଅନ୍ୟ ରାଜ୍ୟକୁ ଟ୍ରାନ୍ସଫର କରିବାକୁ କେନ୍ଦ୍ରର ଅନୁରୋଧକୁ ନେଇ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଯାଉଛି।

ସୂଚନାଯୋଗ୍ୟ, ସୁପ୍ରିମକୋର୍ଟରେ ଉଭୟ ମହିଳା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଆବେଦନ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଏହି ଘଟଣାକୁ ସ୍ବତ-ପ୍ରବୃତ୍ତ ଗ୍ରହଣ କରିବା ସହ ନିରପେକ୍ଷ ତଦନ୍ତ ନିର୍ଦ୍ଦେଶ ଦେବା ଉଚିତ ବୋଲି ଆବେଦନ କରିଛନ୍ତି। ପୀଡିତାମାନେ ମଧ୍ୟ ସେମାନଙ୍କର ପରିଚୟ ରକ୍ଷା କରିବାକୁ ଅନୁରୋଧ କରିଛନ୍ତି। ମହିଳାଙ୍କ ଆବେଦନ ପରେ ମଣିପୁରରୁ ଏହି ମାମଲାକୁ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର କରିବାକୁ କେନ୍ଦ୍ର କୋର୍ଟରେ ଆବେଦନ କରିଛି।
ଏହି ମାମଲାକୁ ରାଜ୍ୟ ବାହାରକୁ ସ୍ଥାନାନ୍ତର କରିବାକୁ ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ଅନୁରୋଧ କରିବା ସହ ୬ ମାସ ମଧ୍ୟରେ ଏହି ଶୁଣାଣି ଶେଷ ହେବ ବୋଲି ମଧ୍ୟ ସୁନିଶ୍ଚିତ କରିବାକୁ କହିଛନ୍ତି। ଏଥିପାଇଁ ଫାଷ୍ଟ ଟ୍ରାକ କୋର୍ଟରେ ମାମଲା ଚଳାଇବାକୁ ଦାବି କରାଯାଇଛି।

Share