Categories: ଜାତୀୟ

ମଣିପୁର ହିଂସା: ଶାନ୍ତି ପାଇଁ ଏକ ମଶାଲ ନେଇ ଏକଜୁଟ ହେଲେ ମହିଳା…

ଇମ୍ଫାଲ,୧୮।୬ : ମଣିପୁରରେ ହିଂସା ଜାରି ରହିଛି। ସାଧାରଣ ନାଗରିକ ଏହି କାରଣରୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରାଜ୍ୟରେ ଶାନ୍ତି ଆଣିବା ପାଇଁ ମହିଳାମାନେ ଆଗେଇ ଆସିଛନ୍ତି। ରାଜ୍ୟରେ ହୋଇଥିବା ହିଂସାକୁ ନିନ୍ଦା କରିବା ପାଇଁ ଶନିବାର ରାତିରେ ବିଭିନ୍ନ ଜିଲାରେ ଶତାଧିକ ମହିଳା ରାସ୍ତାରେ ଏକଜୁଟ ହୋଇ ମଶାଲ ରାଲି କରିଥିଲେ। ଇମ୍ଫାଲର ପୂର୍ବ-ପଶ୍ଚିମ, ଥୁବାଲ ଏବଂ କାଚିଙ୍ଗ ଜିଲାରେ ମହିଳାମାନେ ସନ୍ଧ୍ୟା ୭ଟାରୁ ରାତି ୮ଟା ପର୍ଯ୍ୟନ୍ତ ରାସ୍ତାରେ ଏକତ୍ରିତ ହୋଇ ରାଲି କରିଥିଲେ।

ମେରା ପାୟିଙ୍କ ନେତା ଥୋନାଜାମ କିରଣ ଦେବୀ କଙ୍ଗବାରେ ଗଣମାଧ୍ୟମକୁ କହିଛନ୍ତି ସରକାର ଏବଂ କେନ୍ଦ୍ର ସରକାରଙ୍କୁ ନେଇ ଆମେ ସମସ୍ତେ ନିରାଶ। ସେମାନେ ହିଂସାକୁ ରୋକିବା ଏବଂ ସୁରକ୍ଷା ଯୋଗାଇବାରେ ବିଫଳ ହୋଇଛନ୍ତି। ମହିଳାମାନେ ମଧ୍ୟ ମ୍ୟାନମାରରୁ ବେଆଇନ ପ୍ରବାସୀ ଭାରତୀୟଙ୍କ ଅନୁପ୍ରବେଶକୁ ବିରୋଧ କରିଥିଲେ। ନ୍ୟାଶନାଲ ରେଜିଷ୍ଟର ଅଫ ସିଟିଜେନ୍ସ (ଏନଆରସି) ଲାଗୁ କରିବାକୁ ମହିଳାମାନେ ସ୍ଲୋଗାନ ଦେଇଥିଲେ।

ଏକ ମାସ ପୂର୍ବରୁ ମଣିପୁରରେ ଆରମ୍ଭ ହୋଇଥିବା ମେତାଇ ଏବଂ କୁକି ସମ୍ପ୍ରଦାୟର ଲୋକମାନଙ୍କ ମଧ୍ୟରେ ହୋଇଥିବା ଜାତିଗତ ହିଂସାରେ ଇତିମଧ୍ୟରେ ୧୦୦ ରୁ ଅଧିକ ଲୋକଙ୍କ ଜୀବନ ଗଲାଣି।ଗୁଜବ ପ୍ରଚାରକୁ ରୋକିବା ପାଇଁ ରାଜ୍ୟ ସରକାର ୧୧ ଟି ଜିଲାରେ କର୍ଫ୍ୟୁ ଲାଗୁ କରିଥିଲେ ଏବଂ ଇଣ୍ଟରନେଟ ସେବା ଉପରେ ପ୍ରତିବନ୍ଧକ ଲଗାଇଥିଲେ।

Share