Categories: ଜାତୀୟ

ମହିଳାଙ୍କୁ ଉଲଗ୍ନ ପରେଡ୍‌ ଘଟଣା: ନିଲମ୍ବିତ ହେଲେ ୫ ପୋଲିସ କର୍ମଚାରୀ

ଇମ୍ଫାଲ,୬ା୮: ମଣିପୁର ହିଂସାକାଣ୍ଡ ବେଳେ ମେ’ ୪ରେ ୨ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ପରେଡ୍‌ କରାଇବା ଘଟଣାରେ ପ୍ରଶାସନ ପକ୍ଷରୁ ବଡ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି। ସମ୍ପୃକ୍ତ ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ସମେତ ୫ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି।

ଜୁଲାଇ ୧୯ରେ ଉଲଗ୍ନ ପରେଡ୍‌ର ଭିଡିଓ ସାମ୍ନାକୁ ଆସିବା ପରେ ଥୋଉବାଲ ଜିଲା ନୋଙ୍ଗପୋକ୍‌ ସେକ୍‌ମାଇ ଥାନାର ଭାରପ୍ରାପ୍ତ ଅଫିସର ଓ ଅନ୍ୟ ୪ ଜଣଙ୍କୁ ନିଲମ୍ବନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ବୋଲି ଜଣେ ଅଧିକାରୀ କହିଛନ୍ତି।

ସେମାନଙ୍କୁ ପୁନଃ ଅବସ୍ଥାପିତ କରିବା ଲାଗି ଦାବି କରି ସଂଖ୍ୟାଗରିଷ୍ଠ ସମ୍ପ୍ରଦାୟର ଲୋକମାନେ ବିକ୍ଷୋଭ ଜାରି ରଖିବା ସତ୍ତ୍ୱେ ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇ ନାହିଁ। ଗତ ୩ ତାରିଖରେ ବିଷ୍ଣୁପୁରରୁ ଅସ୍ତ୍ରଶସ୍ତ୍ର ଲୁଟ୍‌ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପୋଲିସ ଆଇଜିଙ୍କ ତତ୍ତ୍ୱାବଧାନରେ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ମେ’ ୩ରୁ ହିଂସାକାଣ୍ଡ ଲାଗିରହିଥିବା ବେଳେ ଏହାକୁ ବନ୍ଦ କରିବା ପାଇଁ ପୋଲିସ ପକ୍ଷରୁ ସମସ୍ତ ଉଦ୍ୟମ ଜାରି ରହିଛି।

Share