ଭୁବନେଶ୍ୱର,୧୭ା୧୦(ବ୍ୟୁରୋ): ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ଦାସଙ୍କ ହତ୍ୟାକାଣ୍ଡ ଘଟଣାରେ କମିଶନରେଟ ପୋଲିସ ରବିବାର ୩ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ଆଣିଛି। ଅଭିଯୁକ୍ତ ନୟାପଲ୍ଲୀ ଥାନା ଅଞ୍ଚଳରେ ରହୁଥିବା ଅମ୍ରିତ ପ୍ରୀତମ ବିଶ୍ୱାଳ, କନ୍ଧମାଳ ଜିଲା ଫୁଲବାଣୀ ଟାଉନ ଥାନା ଅଧୀନ ଅମଲାପଡ଼ାର ଦୀନେଶ କୁମାର ମହାପାତ୍ର ଓରଫ ଲିଟୁ ଓ ପିଅନପଡ଼ାର ମୃତ୍ୟୁଞ୍ଜୟ ମିଶ୍ର ଓରଫ ମୁନାଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଥିଲା। ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ଅଭିଯୁକ୍ତମାନେ ଗିରଫ ହୋଇଥିଲେ ବି ଅନେକ ରହସ୍ୟ ପରଦା ଆଢୁଆଳରେ ରହିଛି। ଅଧିକ ତଦନ୍ତ ପାଇଁ ଅଭିଯୁକ୍ତଙ୍କୁ ପୋଲିସ ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟଙ୍କୁ ଆବେଦନ କରିଥିଲା। ରବିବାର କୋର୍ଟ ୪ ଦିନିଆ ରାମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରିଥିଲେ। ଅନ୍ୟପକ୍ଷେ ହତ୍ୟା ଘଟଣାରେ ଅଧିକ ତଥ୍ୟ ପାଇଁ ଅଭିଯୁକ୍ତଙ୍କୁ ପୋଲିସ ସାମ୍ନାସାମ୍ନି ପଚରାଉଚରା କରୁଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି।