Categories: ଜାତୀୟ

ନିଜ ଦୋକାନରୁ ବହି-ୟୁନିଫର୍ମ କିଣିବାକୁ ବାଧ୍ୟ କରିପାରିବେନି ଘରୋଇ ସ୍କୁଲ

ନୂଆଦିଲ୍ଲୀ,୫।୫: ଦିଲ୍ଲୀ ସରକାର ଘରୋଇ ସ୍କୁଲକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଦିଲ୍ଲୀର ଘରୋଇ ବିଦ୍ୟାଳୟଗୁଡ଼ିକ ସେମାନଙ୍କ ଦୋକାନରୁ ବହି କିମ୍ବା ୟୁନିଫର୍ମ କିଣିବାକୁ ବାଧ୍ୟ କରିପାରିବେ ନାହିଁ। ଏହାକୁ ନେଇ ଗୁରୁବାର ଏକ ସରକାରୀ ଆଦେଶ ଜାରି କରାଯାଇଛି। ଉକ୍ତ ଆଦେଶରେ କୁହାଯାଇଛି ଯେ, ଯଦି କୌଣସି ସ୍କୁଲ ଏଭଳି କରୁଥିବାର ଦେଖାଯାଏ, ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନେଇ ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ତଥା ଶିକ୍ଷାମନ୍ତ୍ରୀ ମନୀଷ ସିସୋଡିଆ ଟୁଇଟ କରି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗୁରୁବାର ମନୀଷ ସିସୋଡିଆ ଟୁଇଟ କରି କହିଛନ୍ତି ଯେ, ଦିଲ୍ଲୀର ଘରୋଇ ବିଦ୍ୟାଳୟଗୁଡ଼ିକ ପିତାମାତାଙ୍କୁ ନିଜ ଦୋକାନରୁ ବହି କିମ୍ବା ୟୁନିଫର୍ମ କିଣିବାକୁ ବାଧ୍ୟ କରିପାରିବେ ନାହିଁ। ପ୍ରତ୍ୟେକ ବିଦ୍ୟାଳୟ ପକ୍ଷରୁ ଆଖପାଖରେ ଥିବା ଅତିକମ୍‌ରେ ୫ଟି ଦୋକାନର ତାଲିକା ପ୍ରକାଶ କରିବାକୁ ପଡିବ, ଯେଉଁଠାରୁ ବହି ଓ ୟୁନିଫର୍ମ କିଣାଯାଇପାରିବ। ଏହି ନିର୍ଦ୍ଦେଶକୁ ଅବମାନନା କରୁଥିବା ବିଦ୍ୟାଳୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିସୋଡିଆ ଟୁଇଟ କରି ସୂଚନା ଦେଇଛନ୍ତି। ତେବେ ସିସୋଡିଆଙ୍କ ଟୁଇଟ ଏଭଳି ଏକ ସମୟରେ ଆସିଛି ଯେତେବେଳେ ନୂଆ ସେସନ୍‌ ପାଇଁ କ୍ଲାସ ଆରମ୍ଭ ହେବାକୁ ଯାଉଛି।

Share