ନୂଆଦିଲ୍ଲୀ,୨୧।୩: ଦିଲ୍ଲୀର ମଦ ନୀତିରେ ହୋଇଥିବା ଦୁର୍ନୀତିର ତଦନ୍ତ ଚାଲିଛି। ଏହି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ପ୍ରଥମେ ସିବିଆଇ ଗିରଫ କରିଥିଲା ଏବଂ ପରେ ତାଙ୍କୁ ଇଡି ଦ୍ୱାରା ଗିରଫ କରାଯାଇଥିଲା। ସିବିଆଇ ଗିରଫ ମାମଲାରେ ରୌଜ ଏଭେନ୍ୟୁ କୋର୍ଟରେ ମଙ୍ଗଳବାର ମନୀଷ ସିସୋଡିଆଙ୍କ ଜାମିନ ଆବେଦନର ଶୁଣାଣି ହୋଇଛି। ତେବେ ଏହାର ପରବର୍ତ୍ତୀ ଶୁଣାଣି କୋର୍ଟ ମାର୍ଚ୍ଚ ୨୪ ଅପରାହ୍ନ ୨ଟାରେ ଧାର୍ଯ୍ୟ କରିଛନ୍ତି। ସେହିପରି ଉକ୍ତ ଅଭିଯୋଗରେ ଇଡି ମାମଲାରେ ମଧ୍ୟ ସିସୋଡିଆ ଜାମିନ ଆବେଦନ କରିଛନ୍ତି। ଏହା ଉପରେ ରୌଜ ଏଭେନ୍ୟୁ କୋର୍ଟ ନୋଟିସ ଜାରି କରିଛନ୍ତି। ବର୍ତ୍ତମାନ ଇଡି ମାମଲାରେ ମନୀଷ ସିସୋଡିଆଙ୍କ ଜାମିନ ଆବେଦନର ଶୁଣାଣି ମାର୍ଚ୍ଚ ୨୫ରେ ହେବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, କୋର୍ଟରେ ଶୁଣାଣି ବେଳେ ମନୀଷ ସିସୋଡିଆଙ୍କ ଓକିଲ ଦୟାଲ କୃଷ୍ଣନ କହିଛନ୍ତି, ତାଙ୍କ ମୋବାଇଲ ଫୋନ ଜବତ କରାଯାଇଛି। ଅନ୍ୟ ଫୋନ ବିଷୟରେ ମଧ୍ୟ ଉତ୍ତର ଦେଇସାରିଛୁ। ବର୍ତ୍ତମାନ ଜାମିନ ମଞ୍ଜୁର ପାଇଁ ଆଦେଶ ଦିଆଯାଉ ବୋଲି ଓକିଲ କୃଷ୍ଣନ କୋର୍ଟରେ କହିଛନ୍ତି। ଏଥିସହ ସେ ସିବିଆଇ ତଦନ୍ତ ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ଆଇନର ସୀମା ଭିତରେ ରହି ସିବିଆଇ କାମ କରୁନାହିଁ। ସିବିଆଇକୁ ଯେଉଁ ଡିଭାଇସ୍ ମିଳିଛି ସେଥିରେ ମନୀଷଙ୍କ ବିରୋଧରେ କିଛି ମିଳିନାହିଁ ବୋଲି ସିସୋଡିଆଙ୍କ ଓକିଲ କହିଛନ୍ତି।