Categories: ଜାତୀୟ

ମନୀଷ ସିସୋଦିଆଙ୍କୁ ପୁଣି କୋର୍ଟ ଝଟ୍‌କା, ବଢ଼ିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ, ୨୬।୦୭: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ସିବିଆଇ ମାମଲାରେ ଆଜି ପୁଣିଥରେ କୋର୍ଟ ଶୁଣାଣି କରିଛନ୍ତି । ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ବିଆର୍‌ଏସ୍‌ ନେତ୍ରୀ କେ କବିତାଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ନ୍ୟାୟିକ ହେପାଜତ ଅବଧି ୩୧ ଜୁଲାଇ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଆଜି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ସିବିଆଇର ମୁଖ୍ୟ ମାମଲାର ଶୁଣାଣି ଜୁଲାଇ ୩୧ ତାରିଖକୁ ଘୁଞ୍ଚାଇଛନ୍ତି ।

ସୂଚନା ଥାଉକି, ପାଖାପାଖି ୧୬ ମାସ ହେବ ଜେଲ୍‌ରେ ଥିବା ଆମ ଆଦ୍‌ମୀ ପାର୍ଟିର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କ ଜାମିନ ନେଇ ଜୁଲାଇ ୧୬ରେ ସୁପ୍ରିମ୍‌କୋର୍ଟ ଶୁଣାଣି କରିଥିଲେ । କୋର୍ଟ ସଂକ୍ଷିପ୍ତ ଶୁଣାଣି ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଏବଂ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ବା ସିବିଆଇକୁ ନୋଟିସ ଜାରି କରିବା ସହିତ ଜବାବ ଦାଖଲ କରିବାକୁ କହିଥିଲେ । ସର୍ବୋଚ୍ଚ ଅଦାଲତ ଏହି ମାମଲାର ଆଗାମୀ ଶୁଣାଣି ୨୯ ଜୁଲାଇରେ କରିବେ ବୋଲି କହିଛନ୍ତି । ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମଦ ଦୁର୍ନୀତି ସହ ଜଡ଼ିତ ସିବିଆଇ ଏବଂ ଇଡି ମାମଲାରେ ଜାମିନ ପାଇଁ ଆବେଦନ କରିଥିଲେ । ସେ ଏହି ମାମଲାର ଶୁଣାଣି ବିଳମ଼୍ବରେ କରାଯାଉଥିବା ଏକ ଦଲିଲ୍‌ରେ ଦର୍ଶାଇଛନ୍ତି ।

Share