ମୁମ୍ବାଇ: ବଲିଉଡ ନାୟିକା ମନିଷା କୋଇରାଲା ୫୦ ବର୍ଷରେ ପାଦ ରଖିଛନ୍ତି। ୧୬ ଅଗଷ୍ଟ ୧୯୭୦ରେ ଜନ୍ମ ନେଇଥିବା ଏହି ନାୟିକା ଏକ ରାଜନୈତିକ ପରିବାରରୁ ଆସିଥିଲେ ବି ଅଭିନୟକୁ ନିଜର ପେଶା ଭାବେ ବାଛି ନେଇଥିଲେ। ନେପାଳରେ ଜନ୍ମ ନେଇଥିବା ମନିଷା କିନ୍ତୁ ଉତ୍ତର ପ୍ରଦେଶର ବାରାଣସୀରେ ବଢିଛନ୍ତି। ତାଙ୍କ ପିତା ପ୍ରକାଶ କୋଇରାଲ ନେପାଳ ସରକାରରେ ମନ୍ତ୍ରୀ ଥିବା ବେଳେ ୧୯୫୦ରୁ ୬୦ ଦଶକ ମଧ୍ୟରେ ତାଙ୍କ ଜେଜେ ବିେଶ୍ୱେଶ୍ୱର ପ୍ରସାଦ କୋଇରାଲ ନେପାଳ ପ୍ରଧାନମନ୍ତ୍ରୀ ଥିଲେ। ହେଲେ ମନିଷା କିଛିଦିନ ବାରାଣାସୀ ଓ ତା’ପରେ ଦିଲ୍ଲୀରେ ଶିକ୍ଷା ସମାପ୍ତ କରିବା ପରେ ମଡେଲିଂ ଦୁନିଆରେ ପାଦ ରଖିଥିଲେ। ପିଲାବେଳୁ ଡାକ୍ତର ହେବାର ଇଚ୍ଛା ରଖିଥିବା ମନିଷା କିନ୍ତୁ ଶେଷରେ ମନୋରଞ୍ଜନ ଦୁନିଆରେ ପ୍ରବେଶ କରିଯାଇଥିଲେ। ୧୯୯୧ରେ ସେ ସୁଭାଷ ଘାଇଙ୍କ ଫିଲ୍ମ ‘ସୌଦାଗର’ ମାଧ୍ୟମରେ ବଲିଉଡ୍ରେ ଡେବ୍ୟୁ କରିଥିଲେ। ଏହା ସେତେବେଳେ ବକ୍ସ ଅଫିସରେ ହିଟ୍ ହୋଇଥିଲା। ୧୯୯୪ରେ ବିଧୁ ବିନୋଦ ଚୋପ୍ରାଙ୍କ ଫିଲ୍ମ ‘୧୯୪୨ ଏ ଲଭ ଷ୍ଟୋରୀ’ ମଧ୍ୟ ତାଙ୍କ କ୍ୟାରିୟର ଏକ ସଫଳ ପାହଚ। ବମ୍ବେ, ଅକେଲେ ହମ୍ ଅକେଲେ ତୁମ, ମନ, ଦିଲ ସେ, ଖାମୋସି, ଗୁପ୍ତ, କଚ୍ଚେ ଧାଗେ, ଲଜ୍ୟା ଭଳି ହିଟ୍ ମୁଭି ଭେଟି ଦେଇ ଦର୍ଶକଙ୍କ ନିକଟତର ହୋଇପାରିଥିଲେ ଏହି ଅଭିନେତ୍ରୀ। ୨୦୧୦ରେ ସେ ଜଣେ ନେପାଳି ବିଜ୍ନେସମ୍ୟାନଙ୍କୁ ବିବାହ କରିଥିବା ବେଳେ ମାତ୍ର ୨ ବର୍ଷ ପରେ କିନ୍ତୁ ଏଥିରେ ବିଚ୍ଛେଦ ଘଟିଥିଲା। ଏହାପରେ ସେ ଅସୁସ୍ଥ ହୋଇ ପଡିଥିଲେ। ୨୦୧୨ ଶେଷ ବେଳକୁ ସେ କ୍ୟାନସରରେ ପୀଡତ ଥିବା ଜଣାପଡିଥିଲା। ଏହାପରେ ଚିକିତ୍ସା ପାଇଁ ସେ ଆମେରିକାରେ କିଛି ମାସ ରହି ସୁସ୍ଥ ହୋଇ ଫେରିଥିଲେ। ଏବେ ସେ ସୁସ୍ଥ ଅନୁଭବ କରୁଥିବା ବେଳେ ପୁଣିଥରେ ଅଭିନୟ ଆରମ୍ଭ କରିଥିବା କୁହାଯାଏ।