Categories: ଜାତୀୟ

ଭାଜପା ପାଇଁ ଗୁପ୍ତଚରଗିରି କରୁଥିଲେ ମାନ୍‌ଝି

ପାଟନା, ୧୭।୬: ହିନ୍ଦୁସ୍ତାନୀ ଆଓ୍ବାମୀ ମୋର୍ଚ୍ଚା (ଧର୍ମନିରପେକ୍ଷ) ଦଳର ପ୍ରତିଷ୍ଠାତା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନରାମ ମାନ୍‌ଝି ଭାଜପାର ସୁବିଧା ପାଇଁ ମହାମେଣ୍ଟ ଉପରେ ଗୁପ୍ତଚରଗିରି କରୁଥିଲେ ବୋଲି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅଭିଯୋଗ କରିଛନ୍ତି। ସେ ମେଣ୍ଟରୁ ଓହରିଯାଇଥିବାରୁ ମେଣ୍ଟକୁ ମୁକ୍ତି ମିଳିଥିବା ନୀତୀଶ କହିଛନ୍ତି। ଜୁନ୍‌ ୨୩ରେ ପାଟନାରେ ହେବାକୁ ଥିବା ବିରୋଧୀ ଦଳଗୁଡ଼ିକର ବୈଠକରେ ମାନ୍‌ଝି ଯୋଗଦେବାକୁ ଚାହୁଁଥିଲେ। ସେ ଉକ୍ତ ବୈଠକର ଆଲୋଚନା ସମ୍ପର୍କରେ ଭାଜପାକୁ ଜଣାଇଦେଇପାରନ୍ତି ବୋଲି ନୀତୀଶ ଆଶଙ୍କା କରିଥିଲେ। ସେଥିପାଇଁ ସେ ଏଚ୍‌ଏଏମ୍‌(ଏସ୍‌)କୁ ଜେଡିୟୁ ସହ ମିଶ୍ରଣ ପାଇଁ କହିଥିଲେ ବୋଲି ବିହାର ମୁଖ୍ୟମନ୍ତ୍ରୀ କହିଛନ୍ତି। ମାନ୍‌ଝି ଏଥିରେ ରାଜି ନ ହେବାରୁ ସେ ତାଙ୍କୁ ମେଣ୍ଟରୁ ଓହରିଯିବାକୁ କହିଥିଲେ ବୋଲି ଖବରଦାତାମାନଙ୍କୁ ସୂଚନା ଦେଇଛନ୍ତି। ମାନ୍‌ଝିଙ୍କ ପୁଅ ସନ୍ତୋଷ କୁମାର ସୁମନ ରାଜ୍ୟ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ। ନୀତୀଶ ତାଙ୍କ ଦଳକୁ ଜେଡିୟୁରେ ମିଶ୍ରଣ ପାଇଁ ପ୍ରସ୍ତାବ ଦେବାରୁ ସେ ମନ୍ତ୍ରିମଣ୍ଡଳ ଛାଡ଼ୁଥିବା କହିଥିଲେ।

Share