Categories: ଜାତୀୟ

ମୁସେୱାଲାଙ୍କ ହତ୍ୟା ପାଇଁ ଏଏପି ସରକାର ଦାୟୀ: ଭାଜପା

ଅମୃତସର,୨୯।୫: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ରବିବାର ହତ୍ୟା କରାଯାଇଛି। ମାନସାଗ୍ରାମରେ କେତେକ ଅଜଣା ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳି ମାଡ କରି ତାଙ୍କୁ ହତ୍ୟା କରିଛନ୍ତି। ଏହି ହତ୍ୟା ଘଟଣାକୁ ନେଇ ପଞ୍ଜାବର ଆମ ଆଦମୀ ପାର୍ଟି ସରକାରଙ୍କୁ ଟାର୍ଗେଟ୍‌ କରିଛି ଭାଜପା। ମୁସେୱାଲାଙ୍କୁ ହତ୍ୟା କରିବା ପାଇଁ ଆମ ଆଦମୀ ପାର୍ଟି ସରକାର ଷଡଯନ୍ତ୍ର ରଚିଥିବା ବୋଲି ଭାଜପା ଗୁରୁତର ଅଭିଯୋଗ ଆଣିଛି। କେଉଁ ଆଧାରରେ ପଞ୍ଜାବ ସରକାର ସିଦ୍ଧୁ ମୁସେୱାଲାଙ୍କ ସୁରକ୍ଷା ହଟାଇ ଦେଇଥିଲେ ବୋଲି ଭାଜପା ପ୍ରଶ୍ନ କରିଛି। ଅରବିନ୍ଦ କେଜ୍‌ରିୱାଲଙ୍କ ଯୋଗୁ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରାଯାଇଥିବା ଭାଜପା ମୁଖପାତ୍ର ସମ୍ବିତ ପାତ୍ର ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ରିମୋଟ କଣ୍ଟ୍ରୋଲରେ ପଞ୍ଜାବ ସରକାର ଚାଲିଛି। ଦିଲ୍ଲୀରେ ବସିଥିବା ଅରବିନ୍ଦ କେଜ୍‌ରିୱାଲ ପଞ୍ଜାବ ସରକାର ଚଳାଉଛନ୍ତି।
ଅରବିନ୍ଦ କେଜ୍‌ରିୱାଲଙ୍କ ଖରାପ ରାଜନୀତି ହେତୁ ଆଜି ସିଦ୍ଧୁ ମୁସେୱାଲା ଆମ ସହ ନାହାଁନ୍ତି ବୋଲି ଭାଜପା ନେତା ମନଜିନ୍ଦର ସିର୍ସା କହିଛନ୍ତି। ଭାବପ୍ରବଣ ହୋଇ ସିର୍ସା କହିଛନ୍ତି, ପଞ୍ଜାବରେ ରିମୋଟ କଣ୍ଟ୍ରୋଲ ସରକାର ଚାଲିଛି। ଷଡଯନ୍ତ୍ରର ଏକ ଅଂଶ ଭାବରେ ମୁସେୱାଲା ହତ୍ୟାକାଣ୍ଡ ଘଟିଛି।

Share