Categories: ଖେଳ

ରେସ୍‌ ଓ୍ବାକ୍‌ ପୂର୍ବରୁ ମଞ୍ଜୁଙ୍କ ହର୍ଡଲ୍ସ

ନୂଆଦିଲ୍ଲୀ, ୨୧ା୬(ପି.ଟି.): ଦେଶର ଟପ୍‌ ରେସ୍‌ ଓ୍ବାକର୍‌ ପଞ୍ଜାବର ୨୪ ବର୍ଷୀୟା ମଞ୍ଜୁ ରାଣୀ ଷଷ୍ଠ ଶ୍ରେଣୀରୁ ଏହି କ୍ରୀଡା ପ୍ରତି ଆକର୍ଷିତ ହେଲେ। ନିକଟରେ ଶେଷ ହୋଇଥିବା ଜାତୀୟ ଆନ୍ତଃରାଜ୍ୟ ଆଥ୍‌ଲେଟିକ ମିଟ୍‌ରେ ସେ ୩୫ କିମି ରେସ୍‌ ଓ୍ବାକରେ ସ୍ବର୍ଣ୍ଣ ପଦକ ମଧ୍ୟ ହାସଲ କରିଥିଲେ। ପଞ୍ଜାବର ମନସା ଜିଲାର ଏକ ମଧ୍ୟବିତ୍‌ ପରିବାରରୁ ଆସିଥିବା ମଞ୍ଜୁଙ୍କ ପାଇଁ ରେସ୍‌ ଓ୍ବାକିଂକୁ କ୍ୟାରିୟର କରିବା କୌଣସି ହର୍ଡଲ୍ସ ବା ବାଧାଦୌଡରୁ କମ୍‌ ନ ଥିଲା। ଜନ୍ମରୁ ମା’ଙ୍କୁ ହରାଇଥିବା ବେଳେ ପ୍ରଶିକ୍ଷଣ ପାଇଁ ବାହାରକୁ ଯିବା ସମର୍ଥନରେ ନ ଥିଲେ ଜେଜେ ମା’। ତେବେ ପିତାଙ୍କ ସହଯୋଗ ବଳରେ ମଞ୍ଜୁ ଆଗକୁ ବଢିବା ସହିତ ଦେଶ ତଥା ପରିବାରର ନାମ ଉଜ୍ଜ୍ୱଳ କରିଛନ୍ତି। ୩୫ କିମି ରେସ୍‌ ଓ୍ବାକ୍‌ ଇଭେଣ୍ଟରେ ସେ ପ୍ରଥମ ତଥା ଏକମାତ୍ର ଖେଳାଳି ଭାବରେ ସବ୍‌-୩ ବ୍ରାକେଟରେ ଅଛନ୍ତି। ଫେବୃୟାରୀ ମାସରେ ଅନୁଷ୍ଠିତ ରେସ୍‌ ଓ୍ବାକିଂ ଚାମ୍ପିୟନଶିପ୍‌ରେ ମଞ୍ଜୁ ୨.୫୭.୫୪.୦୦ ଘଣ୍ଟାର ସମୟ ନେଇ ଜାତୀୟ ରେକର୍ଡ ସ୍ଥାପନ କରିବା ସହ ଏସିଆନ୍‌ ଗେମ୍ସ ପାଇଁ ଯୋଗ୍ୟତା ହାସଲ କରିଥିଲେ। ଭୁବନେଶ୍ୱରର ପ୍ରଚଣ୍ଡ ଖରାରେ ତାଙ୍କ ପ୍ରଦର୍ଶନ ସାମାନ୍ୟ ପ୍ରଭାବିତ ହୋଇଥିବା ବେଳେ ସେ ୩.୨୧.୩୧.୦୦ ଘଣ୍ଟାର ଟାଇମିଂ ହାସଲ କରିଥିଲେ।
ଆରମ୍ଭରୁ ଜଣେ ହ୍ୟାଣ୍ଡବଲ୍‌ ଖେଳାଳି ଥିଲେ ମଞ୍ଜୁ। ସ୍କୁଲ ରୋଷ୍ଟରରେ ହ୍ୟାଣ୍ଡବଲ୍‌ ନ ଥିବାରୁ ଜଣେ କୋଚ୍‌ଙ୍କ ପରାମର୍ଶ କ୍ରମେ ସେ ରେସ୍‌ ଓ୍ବାକିଂରେ ଅଂଶଗ୍ରହଣ କରିଥିଲେ। ପ୍ରଥମ ଥରରେ ତୃତୀୟ ସ୍ଥାନରେ ରହିବା ପରେ ଆଉ ପଛକୁ ଫେରି ଚାହିଁ ନ ଥିଲେ। ପିତାଙ୍କ ସହଯୋଗ କାରଣରୁ ୨୦୧୫ରେ ଖେଳ ଆରମ୍ଭ କରି ସେ ମାତ୍ର ୬ ବର୍ଷ ମଧ୍ୟରେ ଜାତୀୟ ଚାମ୍ପିୟନ ହୋଇଥିଲେ। ରେସ୍‌ ଓ୍ବାକିଂ ଅତ୍ୟନ୍ତ ବ୍ୟୟବହୁଳ ଖେଳ। ପିନ୍ଧା ଯାଉଥିବା ଜୋତାର ମୂଲ୍ୟ ହଳକୁ ୧୭ ହଜାର ଟଙ୍କା ରହୁଥିବା ବେଳେ ଏହା ମାତ୍ର ୧ ମାସରେ ହିଁ ଖରାପ ହୋଇ ଯାଉଥିଲା। ପିତା ନିଜର ଦୁଇ ଏକର ଚାଷ ଜମିକୁ ବନ୍ଧା ରଖି ମଞ୍ଜୁଙ୍କ ପାଇଁ ଆବଶ୍ୟକ କ୍ରୀଡା ଉପକରଣ ଆଣିଥିଲେ। ଏହାପରେ ୨୦୧୮ରେ ସଶସ୍ତ୍ର ସୀମା ବଳରେ ନିଯୁକ୍ତି ପାଇବା ପରେ ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲା। ଆଗାମୀ ଦିନରେ ସ୍ପନସରଶିପ୍‌ ମିଳିଲେ ଖେଳରେ ଉନ୍ନତି ଆସିପାରିବ ବୋଲି କହିଥିଲେ ମଞ୍ଜୁ।

Share