ମାନବଜାତିର ସଫଳତା ଯୁଦ୍ଧକ୍ଷେତ୍ରରେ ନାହିଁ: ପ୍ରଧାନମନ୍ତ୍ରୀ ମୋଦି

ଜାତିସଂଘ,୨୪ା୯: ମାନବଜାତିର ସଫଳତା ଯୁଦ୍ଧକ୍ଷେତ୍ରରେ ନୁହେଁ, ଆମର ସାମୂହିକ ସାମର୍ଥ୍ୟରେ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଜାତିସଂଘର ‘ସମିଟ୍‌ ଅଫ୍‌ ଦି ଫ୍ୟୁଚର’ରେ ଉଦ୍‌ବୋଧନ ଦେଇ କହିଛନ୍ତି। ବିଶ୍ୱ ସ୍ତରରେ ଦ୍ୱନ୍ଦ୍ୱ ବଢ଼ିଚାଲିଥିବାବେଳେ ପ୍ରଧାନମନ୍ତ୍ରୀ ଏଭଳି ମନ୍ତବ୍ୟ ଦେଇଛନ୍ତି। ଜାତିସଂଘ ସାଧାରଣ ସଭା ହଲ୍‌ର ପୋଡିୟମ୍‌ରୁ ବିଶ୍ୱନେତାମାନଙ୍କୁ ଉଦ୍‌ବୋଧନ ଦେଇ ମୋଦି କହିଥିଲେ, ସେ ଜାତିସଂଘର ୧୪୦ କୋଟି ଭାରତୀୟ ବା ଏକ-ଷଷ୍ଠାଂଶ ମାନବଜାତିର ସ୍ବରକୁ ଉପସ୍ଥାପନ କରୁଛନ୍ତି।

ଆମେ ବୈଶ୍ୱିକ ଭବିଷ୍ୟତ ସମ୍ପର୍କରେ ଆଲୋଚନା କଲାବେଳେ ମାନବକୈନ୍ଦ୍ରିକ ଦୃଷ୍ଟିକୋଣକୁ ସର୍ବାଧିକ ପ୍ରାଥମିକତା ଦିଆଯିବା ଉପରେ ସହମତ ହେବା ଜରୁରୀ। ରବିବାର ସମିଟ୍‌ର ପ୍ରଥମ ଦିନରେ ପ୍ୟାକ୍ଟ ଅଫ୍‌ ଦି ଫ୍ୟୁଚର ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା। ଏଥିରେ ସ୍ଥାୟୀ ବିକାଶ, ଅନ୍ତର୍ଜାତୀୟ ଶାନ୍ତି ଓ ସୁରକ୍ଷା, ବିଜ୍ଞାନ ଓ ପ୍ରଯୁକ୍ତି, ଯୁବ ଓ ଭବିଷ୍ୟତ ପିଢ଼ି ଏବଂ ବୈଶ୍ୱିକ ଶାସନରେ ପରିବର୍ତ୍ତନ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଥିଲା। ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧ ଏବଂ ୟୁକ୍ରେନ୍‌ ଯୁଦ୍ଧ ସମେତ ଜଳବାୟୁ ପରିବର୍ତ୍ତନ, ଅସମାନତା ଏବଂ ଭୂରାଜନୈତିକ ବିଭାଜନ ଆଦି ଚ୍ୟାଲେଞ୍ଜ ଲାଗିରହିଥିବାବେଳେ ଜାତିସଂଘ ସାଧାରଣ ସଭା ପକ୍ଷରୁ ସମିଟ୍‌ ଅଫ୍‌ ଦି ଫ୍ୟୁଚର ଆରମ୍ଭ ହୋଇଛି।

ଜାତିସଂଘ ଆସନ୍ତାବର୍ଷ ୮୦ ବର୍ଷରେ ପଦାର୍ପଣ କରୁଥିବାବେଳେ ବୈଶ୍ୱିକ ସଂସ୍ଥାରେ ସଂସ୍କାରର ଆବଶ୍ୟକତା ଉପରେ ଆଲୋଚନା ହୋଇଥିଲା। ସ୍ଥାୟୀ ବିକାଶ ଲକ୍ଷ୍ୟ, ଜଳବାୟୁ ପରିବର୍ତ୍ତନ ଏବଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଥିଲେ ମଧ୍ୟ ଏହିସବୁ ଲକ୍ଷ୍ୟ ହାସଲ ପାଇଁ ଆବଶ୍ୟକ ପଦକ୍ଷେପ ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ ହୋଇନାହିଁ। ବୈଶ୍ୱିକ ଶାନ୍ତି ଓ ବିକାଶ ପାଇଁ ବିଶ୍ୱସ୍ତରୀୟ ଅନୁଷ୍ଠାନଗୁଡ଼ିକର ସଂସ୍କାର ଜରୁରୀ । ଜି-୨୦ରେ ଆଫ୍ରିକୀୟ ୟୁନିୟନକୁ ସ୍ଥାୟୀ ସଦସ୍ୟ ଭାବେ ସାମିଲ କରିବା ଏ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମୋଦି କହିଥିଲେ।

Share