ବିଜେଡି ଟିକେଟ ଦୌଡ଼ରେ ମନ୍ମଥ ମିଶ୍ର

ଭୋଗରାଇ,୧୫ା୯(ପ୍ରଦୀପ ଦାସ): ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ମନ୍ମଥ ମିଶ୍ର ଭୋଗରାଇ ନିର୍ବାଚନମଣ୍ଡଳୀ ବିଜେଡି ଟିକେଟ ଦୌଡ଼ରେ ସାମିଲ ହୋଇଛନ୍ତି। ଏହି ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ତଥା ବିଧାୟକ ଅନନ୍ତ ଦାସ ବୟସାଧିକ୍ୟ କାରଣରୁ ଆସନ୍ତା ନିର୍ବାଚନରେ ପ୍ରାର୍ଥୀ ହେବାରୁ ବଞ୍ଚିତ ହୋଇପାରନ୍ତି ବୋଲି କର୍ମୀ ମହଲରେ ଆଲୋଚନା ହେଉଛି। ଏହି ସୁଯୋଗରେ ଏକାଧିକ ନେତା ବିଜେଡି ଟିକେଟ ପାଇଁ ଲବି ଆରମ୍ଭ କରି ଦେଇଥିବା ବେଳେ ମନ୍ମଥ ମଧ୍ୟ ମଉକା ଦେଖି ଚଉକା ମାରିବା ଚକ୍କରରେ ରହିଛନ୍ତି। ଭୋଗରାଇର ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର ମନ୍ଦିରରେ ଗୁରୁବାର ପୂଜାର୍ଚ୍ଚନା କରିବା ସହ ସେ ତାଙ୍କର ଅଭିଯାନ ଆରମ୍ଭ କରିଛନ୍ତି। ନିର୍ବାଚନମଣ୍ଡଳୀରେ ଲୋକଙ୍କ ସେବା କରିବା ନିମନ୍ତେ ଭଗବାନଙ୍କ କରୁଣା ନେବାକୁ ଆସିଥିବା ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ କାର୍ଯ୍ୟଧାରାରେ ବିଶ୍ୱାସ ରଖି ସେ ଭାଜପାରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇଥିବା ଏବଂ ଆସନ୍ତା ନିର୍ବାଚନରେ ଭୋଗରାଇରୁ ପ୍ରାର୍ଥୀ ହେବା ଲାଗି ଇଚ୍ଛୁକ ଥିବା କହିଛନ୍ତି। ମୁଖ୍ୟମନ୍ତ୍ରୀ ଯଦି ତାଙ୍କୁ ଦଳୀୟ ପ୍ରାର୍ଥୀ କରନ୍ତି ତେବେ ସେ ଏହାକୁ ସାଦରେ ଗ୍ରହଣ କରିବେ ଓ ଆଗକୁ ବଢ଼ିବେ ବୋଲି ଚନ୍ଦନେଶ୍ୱରସ୍ଥିତ ଏକ ହୋଟେଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଆଠଗଡ଼ ମୋ ଜନ୍ମସ୍ଥାନ ହୋଇଥିଲେ ମଧ୍ୟ ୩୦ବର୍ଷ ଧରି ଭୋଗରାଇକୁ କର୍ମସ୍ଥାନ ବୋଲି ବାଛି ନେଇଛି। ଭୋଗରାଇ ପାଣି ପବନରେ ବଢିଛି, ଏଠାକାର ଆବାଳବୃଦ୍ଧବନିତାଙ୍କ ସହ ଓତଃପ୍ରୋତ ଭାବେ ଜଡିତ ରହିଛି। ବିଧାୟକ ଅନନ୍ତ ଦାସ ଭୋଗରାଇର ଉନ୍ନୟନ କାର୍ଯ୍ୟକୁ ବହୁ ଆଗକୁ ନେଇଥିବା ବେଳେ ମୋତେ ସୁଯୋଗ ମିଳିଲେ ଏ ଅଞ୍ଚଳର ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ ପାଇଁ ବଦ୍ଧପରିକର ହେବି ବୋଲି ମନ୍ମଥ କହିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ତବଲା ବାଦକ ଜିତେନ୍ଦ୍ର ବେହେରା, ନିମାତପୁର ପଞ୍ଚାୟତର ଯୁବନେତା ଦିଲୀପ ପ୍ରଧାନ, ଦେଉଳା ପଞ୍ଚାୟତ ଯୁବନେତା ସତ୍ୟବ୍ରତ ଘଡ଼ାଇ, ବିରଜା ଗ୍ରାମର ବରେନ୍ଦ୍ର ଦତ୍ତ, ଚନ୍ଦନେଶ୍ୱର ଯୁବନେତା ରବୀନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ। ମନ୍ମଥ ଭୋଗରାଇର ବହୁ କଳାକାର, ଛାମୁଆ ଯୁବନେତା ଓ ବୁଦ୍ଧିଜୀବୀଙ୍କୁ ସାକ୍ଷାତ୍‌ କରୁଥିବାରୁ ଏଠାକାର ରାଜନୀତି ଏବେ ସରଗରମ ହେବାରେ ଲାଗିଛି।