ପାଣି ବୋହି ପରିବାର ଚଳାଉଛନ୍ତି ମନମୋହନ

ଖୋର୍ଦ୍ଧା ଅଫିସ,୨୧ା୧୨: ଓଡ଼ିଶା ଅର୍ଥନୈତିକ କ୍ଷେତ୍ରରେ ସୁଦୃଢ଼ ହେବ। ଏଥିପାଇଁ ରାଜ୍ୟ ସରକାର ନିକଟରେ ଓଡ଼ିଶା କନକ୍ଲେଭ ଆୟୋଜନ କରିଥିଲେ। ତେବେ ରାଜ୍ୟରେ ଏମତି ବି ପରିବାର ଅଛନ୍ତି ଯେଉଁମାନେ ଦିନରାତି ପରିଶ୍ରମ କରି ଦୁଇଓଳି ଖାଇବା ପାଇଁ ଯୋଗାଡ଼ କରୁଛନ୍ତି। ସରକାରଙ୍କ ବିଭିନ୍ନ ଯୋଜନା ଏମାନଙ୍କ ପାଇଁ ସ୍ବପ୍ନ। ଖଟିଲେ ଏମାନଙ୍କ ପରିବାର ଚଳେ। ଏଭଳି ଜଣେ ବ୍ୟକ୍ତି ହେଉଛନ୍ତି ମନମୋହନ ସେନାପତି। ବୟସ ୪୫ ଟପିଲାଣି। ମା’ବାପା, ସ୍ତ୍ରୀ ଓ ଝିଅପୁଅଙ୍କୁ ନେଇ ତାଙ୍କ ପରିବାର। ନିଜ ଘର କଟକ ଜିଲା ବାଙ୍କୀ ତୁଳସୀପୁର ଅଞ୍ଚଳରେ ହୋଇଥିବା ବେଳେ ଗତ କିଛି ବର୍ଷ ହେବ ପରିବାର ସହ ଖୋର୍ଦ୍ଧାକୁ ଆସି ସ୍ଥାନୀୟ ତଳସାହିରେ ଭଡାରେ ରହୁଛନ୍ତି। ସେ ଦୈନିକ ୩୦ରୁ ୪୦ ଦୋକାନକୁ ପ୍ଲାଷ୍ଟିକ ଜାରରେ ପାଣି ଭର୍ତ୍ତି କରି ଲୁନାରେ ପହଞ୍ଚାଇ ରୋଜଗାର କରିଥାନ୍ତି। ବ୍ୟସ୍ତବହୁଳ ଜୀବନରେ ସେ କେବେ ଥକି ପଡିନାହାନ୍ତି କିମ୍ବା ପଛକୁ ଫେରି ଚାହିଁ ନାହାନ୍ତି ବୋଲି ମନମୋହନ କହିଛନ୍ତି। ସେ ଆହୁରି କହିଛନ୍ତି, ଆର୍ଥିକ ଅନଟନରୁ ଅଧିକ ପାଠପଢିପାରିଲି ନାହିଁ। ଯୁବାବସ୍ଥାରେ ପରିବାର ଚଳାଇବା ପାଇଁ ବାହାର ରାଜ୍ୟକୁ ଯାଇଥିଲି। ପରେ ବୃଦ୍ଧ ମା’ବାପାଙ୍କ ସେବା ଲାଗି ଘରକୁ ପଳାଇ ଆସିଲି। ପରିବାର ପୋଷଣ ପାଇଁ କାମ ଅନ୍ବେଷଣରେ ଖୋର୍ଦ୍ଧାକୁ ଆସିଥିଲି। କାହା ପାଖରେ କାମ କରିବା ପରିବର୍ତ୍ତେ ଦୋକାନମାନଙ୍କୁ ପାଣି ଯୋଗାଇବା ଲାଗି ମନସ୍ଥ କରି ଆରମ୍ଭ କରିଥିଲି। ଏହାରି ମଧ୍ୟରେ ୧୦ବର୍ଷ ବିତିଗଲାଣି। ସେତେବେଳେ ପ୍ଲାଷ୍ଟିକ ଜାର ପିଛା ୫ଟଙ୍କା ନେଉଥିଲି। ଏବେ ୧୦ଟଙ୍କା ନେଉଛି। ଦୈନିକ ପ୍ରାୟ ୭ଶହରୁ ୮ଶହ ଲିଟର ପାଣି ଦୋକାନୀମାନଙ୍କୁ ଯୋଗାଉଥିବା କହିଛନ୍ତି। ସରକାରୀ ଯୋଜନା ପାଇବା ପାଇଁ ପ୍ରଶାସନିକ କାର୍ଯ୍ୟାଳୟକୁ ବାରମ୍ବାର ଦୌଡିବାକୁ ପଡିବ। ସମୟ ନ ଥିବାରୁ ଯୋଜନା ପାଇବାରୁ ବଞ୍ଚିତ। ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ରହିଛି। କାମରେ ଛୋଟବଡ ନାହିଁ। ଦୋକାନରେ ପାଣି ପହଞ୍ଚାଇ ଦେଲେ ମାଲିକମାନେ ଖୁସି ହେଉଛନ୍ତି। ହସଖୁସିରେ ଦିନ କଟିଯାଉଛି। ଅବସର ସମୟରେ ପରିବାର ଏବଂ ଠାକୁରଙ୍କ ପୂଜାପାଠରେ ସମୟ ବିତିଯାଉଛି ବୋଲି ମନମୋହନ କହିଛନ୍ତି।