Categories: ଜାତୀୟ

ଭାଜପାକୁ ଭୋଟ ଦେଇଛନ୍ତି ମନମୋହନ-ମୁଲାୟମ!

ଆମ୍ବେଡ୍‌କର ନଗର,୧୧।୩: ଭାଜପାକୁ ଭୋଟ ଦେଇଛନ୍ତି ମନମୋହନ ସିଂ ଏବଂ ମୁଲାୟମ ସିଂ। କଥାଟା ଅଡ଼ୁଆ ଲାଗୁଥିଲେ ହେଁ ସତ। ତେବେ ଆମେ ଏଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସ ନେତା ମନମୋହନ ସିଂ କିମ୍ବା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ କଥା କହୁନାହୁଁ। ଏଠାରେ ଯେଉଁ ମନମୋହନ ଏବଂ ମୁଲାୟମଙ୍କ କଥା କୁହାଯାଇଛି, ସେମାନେ ଉତ୍ତରପ୍ରଦେଶ ଆମ୍ବେଡ୍‌କର ନଗର ଜିଲାର ଜଲାଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହାଇଦରାବାଦ ଗ୍ରାମର ଚାଷୀ ମିଥାଇ ଲାଲ୍‌ (୫୭)ଙ୍କ ଦୁଇପୁଅ।

ବର୍ତ୍ତମାନର ରାଜନୀତି ଲୋକମାନଙ୍କୁ ସବୁ ପ୍ରସଙ୍ଗରେ ପରସ୍ପରଠାରୁ ଅଲଗା କରିଦେଉଥିବାବେଳେ ମିଥାଇଲାଲ୍‌ଙ୍କ ପରିବାରରେ ବିଭିନ୍ନ ଦଳର ରାଜନେତାମାନେ ରହି ଶାନ୍ତି ଓ ସଦ୍‌ଭାବନାର ବାସ୍ତବ ବାର୍ତ୍ତା ଦେଉଛନ୍ତି। ମିଥାଇ ତାଙ୍କ ୭ ପିଲାଙ୍କ ନାମ ମୁଲାୟମ ସିଂ, କଲ୍ୟାଣ ସିଂ, ରାଜନାଥ ସିଂ, ବାଲ୍‌ ଠାକ୍‌ରେ, ଜୈଲ୍‌ ସିଂ, ମନମୋହନ ସିଂ ଏବଂ ଝିଅଙ୍କ ନାଁ ଜୟଲଲିଥା ରଖିଛନ୍ତି। ସମସ୍ତଙ୍କ ନାମ ଦେଶର ଜଣାଶୁଣା ରାଜନେତାଙ୍କ ନାମରେ ନାମିତ କରିଛନ୍ତି। ସମାଜରେ ତାଙ୍କ ପିଲାମାନଙ୍କୁ ସେମାନଙ୍କ ଭଳି ଉଚ୍ଚ ସମ୍ମାନ ମିଳିବା ଲକ୍ଷ୍ୟ ଦେଇ ସେ ଏଭଳି ଏକ ନିଆରା ବାଟ ଆପଣାଇଥିବା କହିଛନ୍ତି।

Share