Categories: ଜାତୀୟ

‘ଏବେ ବି ନେହରୁଙ୍କୁ ଦୋଷ ଦେଉଛନ୍ତି’

ନୂଆଦିଲ୍ଲୀ,୧୭।୨: ଗୋଟିଏ ପଟେ ଲୋକେ ଦରଦାମ ବୃଦ୍ଧି ଓ ବେରୋଜଗାର ସମସ୍ୟା ସହ ସଂଘର୍ଷ କରୁଛନ୍ତି। ଅନ୍ୟ ପଟେ ୭ ବର୍ଷ ହେଲା ସରକାରରେ ଥିବା ଭାଜପା ନିଜ ଭୁଲ ସ୍ବୀକାର କରିବା ପରିବର୍ତ୍ତେ ଏବେ ବି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜଓ୍ବାହରଲାଲ ନେହରୁଙ୍କୁ ଦୋଷ ଦେଉଛନ୍ତି। ଆସନ୍ତା ରବିବାର ହେବାକୁ ଥିବା ପଞ୍ଜାବ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାଜପା ସରକାରଙ୍କ ଉପରେ ଏଭଳି କହି ବର୍ଷିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ।

“ମୋ ମତରେ ପ୍ରଧାନମନ୍ତ୍ରୀଙ୍କ ପଦବୀର ଏକ ବିଶେଷ ମହତ୍ତ୍ୱ ରହିଛି। ଇତିହାସକୁ ଦୋଷ ଦେବା ପରିବର୍ତ୍ତେ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ମର୍ଯ୍ୟଦାର ସମ୍ମାନ ରକ୍ଷା କରିବା ଉଚିତ। ମୁଁ ୧୦ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଥିଲି। ମୁଁ କାର୍ଯ୍ୟ ମାଧ୍ୟମରେ କଥା ହୁଏ। ବିଶ୍ୱ ଆଗରେ ମୁଁ କଦାପି ଦେଶର ସମ୍ମାନ ହାନୀ କରି ନାହିଁ। ମୁଁ କଦାପି ଭାରତର ଗର୍ବକୁ ଦୁର୍ବଳ କରି ନାହିଁ। ଅତିକମ୍‌ରେ ମୋ ପାଖରେ ଏତିକି ଆତ୍ମସନ୍ତୋଷ ଅଛି ଯେ, ମୋ ବିରୋଧରେ ଦୁର୍ବଳ ଓ ଭ୍ରଷ୍ଟାଚାରି ଅଭିଯୋଗ ଆଣୁଥିବା ଭାଜପା ଓ ଏହାର ବି’, ସି ଟିମ୍‌ ଦେଶ ଆଗରେ ଧରା ପଡ଼ିଛନ୍ତି” ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ କହିଛନ୍ତି।

“ଭାଜପା ସରକାରକୁ ଆର୍ଥିକ ନୀତି ବିଷୟରେ କିଛି ଜଣା ନାହିଁ। ଏହି ସମସ୍ୟା ଏବେ ଦେଶରେ ସୀମିତ ହୋଇ ନାହିଁ। ଏହି ସରକାରର ବୈଦେଶିକ ନୀତି ମଧ୍ୟ ଫେଲ ମାରିଛି। ଚାଇନା ଆମ ସୀମାରେ ବସିଛି। ଅନୁପ୍ରେବେଶକୁ ଦମନ କରିବା ପାଇଁ ପ୍ରୟାସ କରାଯାଉ ନାହିଁ। ବିଶ୍ୱ ନେତାଙ୍କୁ ହଗ କରିବା, ତାଙ୍କ ସହ ବିରାୟାନୀ ଖାଇବା ବୈଦେଶିକ ନୀତି ନୁହେଁ। ଆଶା କରୁଛି ପ୍ରଧାନମନ୍ତ୍ରୀ ଏ କଥା ବୁଝିପାରୁଛନ୍ତି” ବୋଲି ୮୯ ବର୍ଷୀୟ ବରିଷ୍ଠ କଂଗ୍ରେସ ନେତା କହିଛନ୍ତି।

Share