ଭାଜପାକୁ ଶକ୍ତିଶାଳୀ କରିବାକୁ ଏମିତି ପଦକ୍ଷେପ ନେଲେ ମନମୋହନ

ଭୁବନେଶ୍ୱର/ ବ୍ରହ୍ମପୁର, ୧୨।୭(ସୁନିତ୍‌ ମିଶ୍ର/ନରସିଂହ ସାହୁ):ଭାଜପା ମିଡିଆ ବିଭାଗକୁ ଅଧିକ ଦୃଢ଼ କରିବା ପରିପ୍ରେକ୍ଷୀରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ରାଜ୍ୟ ପ୍ୟାନେଲିଷ୍ଟ ଭାବେ ଟି. ଗୋପୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଦଳ ପକ୍ଷରୁ ବୁଧବାର ଏସମ୍ପର୍କରେ ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି। ଏନେଇ ଗଞ୍ଜାମ ଜିଲା ଭାଜପା ସଭାପତି ଡ଼ା. ସୁବାସ ସାହୁଙ୍କ ସମେତ ଦଳୀୟ ନେତାମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିଜୁ ଲିଗାସୀ ଗୋପୀ ଅତୀତରେ ଜନତା ପାର୍ଟି ଓ ଜନତା ଦଳରେ ସକ୍ରିୟ ଥିଲେ। ବ୍ରହ୍ମପୁର ପୌର ପରିଷଦ ଥିବା ବେଳେ ଏକାଧିକ ଥର କାଉନସିଲର ଓ ପୌର ନିଗମ ହେବାରେ କର୍ପୋରେଟର ଭାବେ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ବିଜେଡିରେ ସକ୍ରିୟ ଭୂମିକା ନେଇଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତୃତୀୟ ପାଳି ପର୍ଯ୍ୟନ୍ତ ଗୋପୀ ରାଜ୍ୟ ବିଜେଡି ସଂଗଠନର ସମ୍ପାଦକ ହୋଇଥିଲେ। ଦଳର କାର୍ଯ୍ୟାଳୟ ଦାୟିତ୍ୱରେ ମଧ୍ୟ ଥିଲେ। ତେଲୁଗୁ ସମ୍ପ୍ରଦାୟର ନେତା ଗୋପୀ ବ୍ରହ୍ମପୁରର ବିଭିନ୍ନ ସଂଗଠନ ସହ ଜଡ଼ିତ ଅଛନ୍ତି।
୨୦୨୪ ନିର୍ବାଚନରେ ବ୍ରହ୍ମପୁର ବିଧାନସଭା କ୍ଷେତ୍ର ପାଇଁ ସେ ବିଜେଡି ଟିକେଟ ଆଶାୟୀ ଥିଲେ। ତାଙ୍କୁ ଉପେକ୍ଷା କରାଯିବା ପ୍ରତିବାଦରେ ବିଜେଡି ପ୍ରାଥମିକ ସଭ୍ୟ ପଦରୁ ଗତ ମେ’ ମାସରେ ଇସ୍ତଫା ଦେଇ ଭାଜପାରେ ଯୋଗଦେଇଥିଲେ।

Share