ଲଣ୍ଡନ,୩୦।୪: କେନ୍ଦ୍ର ମନ୍ତ୍ରୀ ଡା. ଜିତେନ୍ଦ୍ର ସିଂ ଏବେ ବ୍ରିଟେନ ଗସ୍ତରେ ଅଛନ୍ତି। ରବିବାର ସେ ଭାରତୀୟ ଦୂତାବାସ ‘ଇଣ୍ଡିଆ ହାଉସ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୦୦ ତମ ମନ କି ବାତ କାର୍ଯ୍ୟକ୍ରମରେ ଭାରତୀୟ ମୂଳ ବାସିନ୍ଦା ଓ ଦୂତାବାସ ଅଧିକାରୀଙ୍କ ସହ ମିଶି ଏହା ଶୁଣିଛନ୍ତି। ଏହି ସମୟରେ ମନ କି ବାତ କାର୍ଯ୍ୟକ୍ରମକୁ ନେଇ ଖୁବ ଉତ୍ସାହ ଦେଖିବାକୁ ମିଳିଥିଲା ଆଉ ଇଣ୍ଡିଆ ହାଉସ ଫୁଲ ହୋଇଯାଇଥିଲା।
କେନ୍ଦ୍ରମନ୍ତ୍ରୀ କହିଛନ୍ତି, ମନ କି ବାତ ବହୁତ ପ୍ରେରଣାଦାୟକ କାର୍ଯ୍ୟକ୍ରମ। ବିନା କୌଣସି ବାଧାରେ ପ୍ରତି ମାସ ଲୋକଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଆସିଛି। ରାଜନୀତି ବାହାରେ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ସାଧାରଣ ଜନତାଙ୍କ ଜନଭାବନା ଓ ସେମାନଙ୍କ ସହ ଜଡିତ ପ୍ରସଙ୍ଗ ଉପରେ ଆଧାରିତ। ଇଣ୍ଡିଆ ହାଉସରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଁ ଜଣାଶୁଣା ଲେଖକ ତଥା ଲଣ୍ଡନ ସ୍ଥିତ ନେହେରୁ ସେଣ୍ଟରର ନିର୍ଦ୍ଦେଶକ ଅମିଶ ତ୍ରିପାଠୀ, ସିଙ୍ଗର ରାଗେଶ୍ୱରୀ ଓ ଲଣ୍ଡନରେ ଭାରତର ରାଷ୍ଟ୍ରଦୂତ ବିକ୍ରମ ଦୋରଇସ୍ବାମୀ ସମେତ ବହୁ ସଂଖାରେ ଭାରତୀୟ ମୂଳ ବାସିନ୍ଦା ଉପସ୍ଥିତ ଥିଲେ।